ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଘରେ ଭୋଟ ଦେଲେ ୩୬୩୬ ଭୋଟର୍

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର । ଗତକାଲିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ । ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି ।

୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆଦର୍ଶ ବୁଥ ରହିଛି ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ । ୬୦ ପ୍ରତିଶତ ବୁଥରେ ଲାଇଭ ଷ୍ଟିମ ହେବ ।

ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲଟ ବ୍ୟବହାର ହେବ । ମୋଟ ୧୮ ହଜାର ୫୩୯ ବାଲଟ ୟୁନିଟ ରହିଛି । ୧୨ ସହ ପୋଲିଂ ଷ୍ଟେସନରେ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବାକୁ ଥିବାବେଳେ ୨୫୭୫ ବୁଥରେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ ସମ୍ବେଦନଶୀଳ ରହିଛି । ୫୨ ହଜାର ୫ ଶହ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ଭୋଟରଙ୍କୁ ଅଧିକ ଆକୃଷ୍ଟ ଓ ଭୋଟ ଦେବା ପାଇଁ ରାୟଗଡାରେ ଆଦିମ ଜନଜାତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ହାତ ପଙ୍ଖାରେ ସଚେତନତା ଲେଖା ଯାଇଛି । ଗଞ୍ଜାମ ଜିଲ୍ଲାରେ ଅଲିଭକୁ ମାସ୍କଟ ଭାବରେ ବ୍ୟବହାର କରାଯାଇଛି । ଏହାକୁ ଗୋପାଳପୁର, ତାରାତାରିଣୀ ମନ୍ଦିର ଓ ରାମ ଲିଙ୍ଗେଶ୍ୱର ପାଖରେ ବ୍ୟବହାର କରାଯାଇଛି । ନୂଆପଡାରେ ଷ୍ଟବେରୀ ପ୍ୟାକେଟରେ ନିର୍ବାଚନ ତାରିଖ ଲେଖା ଯାଇଛି । ବହୁଳ ସଂଖ୍ୟାରେ ମତଦାନ ପାଇଁ ନିବେଦନ କରିଛନ୍ତି ସିଇଓ । ବୁଥ ପ୍ରସ୍ତୁତ, ପୋଲିଂ ଷ୍ଟେସନ ପ୍ରସ୍ତୁତ ଭୋଟର ଆସି ମତଦାନ କରନ୍ତୁ । ଏହି ନିର୍ବାଚନକୁ ତଦାରଖ କରିବା ପାଇଁ ୨୩ ଜଣ ଅବଜର୍ଭର ନିଯୁକ୍ତ ହୋଇଛନ୍ତି ବୋଲି ସିଇଓ କହିଛନ୍ତି ।