କିଏ ଜାରି କରିଥିଲା ପୁଚ୍ଛ ଆତଙ୍କବାଦୀ ଆକ୍ରମଣର ସନ୍ଧିଗ୍ଧଙ୍କ ପୋଷ୍ଟର ?
ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଚ୍ଛ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ବାୟୁସେନାର ଗାଡିକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବହୁ ତଦନ୍ତ ପରେ ମଧ୍ୟ ସୁରକ୍ଷାବାହିନୀଙ୍କୁ କୌଣସି ସଫଳତା ମିଳିପାରିନାହିଁ । ଏଥିପାଇଁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବ୍ୟାପକ ତନାଘନା ଏବେ ବି ଜାରି ରହିଛି । ସୁରନକୋଟ୍ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏହି ଆକ୍ରମଣରେ ସାମିଲ ୨ ସନ୍ଧିଗ୍ଧଙ୍କ ପୋଷ୍ଟର ମିଳିଥିଲା ଏବଂ ଏଥିପାଇଁ ୨୦ ଲକ୍ଷ ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା ।
କିନ୍ତୁ ପୋଲିସ ଏବଂ ସେନା ଏହି ପୋଷ୍ଟର ଲଗାଇବା ପାଇଁ ମନା କରିଦେଇଥିଲା । ହେଲେ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ଅନୁଯାୟୀ, ସେନାର ଏକ ୟୁନିଟ୍ ପ୍ରଥମେ ଏହି ପୋଷ୍ଟର ଲଗାଇବା ପାଇଁ ନିଷ୍ପତ୍ତି ନେଇ ଥିଲେ । କିନ୍ତୁ ପରେ ବରିଷ୍ଠ ଅଧିକାରୀ ମନା କରିବା ପରେ ଏହାକୁ ହଟାଇ ଦେଇଥିଲେ । ହେଲେ ଏହି ୨ ସନ୍ଧିଗ୍ଧଙ୍କ ପୋଷ୍ଟର କିଏ ଜାରି କରିଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ଏହି ଆକ୍ରମଣ ସମ୍ବନ୍ଧରେ ପଚରାଉଚରା ପାଇଁ ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ ହେପାଜତରେ ନିଆଯାଇଛି । ସୁରକ୍ଷା ବାହିନୀ ଏବେ ସେହି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି । ଶନିବାର ସନ୍ଧ୍ୟାରେ ସୁରନକୋଟ ଅଞ୍ଚଳର ଶାହସିତାର ନିଟକରେ ସେନା ଉପରେ ଆକ୍ରମଣ କରି ନିକଟ ଜଙ୍ଗଲରେ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ବାୟୁସେନାର ୫ଜଣ ସେନା ଗୁରୁତର ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲେ ।