ସିଙ୍ଗାପୁରରୁ ଇଣ୍ଟର୍ଣ୍ଣସିପ୍ ସାରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଛାତ୍ରଛାତ୍ରୀ
1 min readଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ସାରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱର ବିମାନବନ୍ଦରଠାରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଛି।
ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରମୁଖ କମ୍ପାନିରେ କାମ କରିବାର ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମ ଲାଗି ପ୍ରତିବର୍ଷ ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇ ସିଙ୍ଗାପୁର ପଠାଯାଉଛି। ୨୦୨୨-୨୩ ବ୍ୟାଚରୁ ଗତ ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିବା ଛାତ୍ରଛାତ୍ରୀମାନେ ଆଜି ଭୁବନେଶ୍ୱର ଫେରି ଆସିଛନ୍ତି।
ସିଙ୍ଗାପୁରର ଏହି ଅନୁଭୂତି ସେମାନଙ୍କ ଭବିଷ୍ୟତ କ୍ୟାରିୟରକୁ ଆଉ ଏକ ନୂଆ ଉଚ୍ଚତାକୁ ନେବାରେ ବିଶେଷ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ ମତ ପ୍ରକାଶ କରିଛନ୍ତି। ‘‘ସିଙ୍ଗାପୁରର ଗୁଡଉଡ୍ ପାର୍କ ହୋଟେଲରେ ୬ ମାସ ଧରି ମୁଁ କାମ କରିବାର ସୁଯୋଗ ପାଇଲି। ପ୍ରଥମ ଦରମାରେ ମୁଁ ନୂଆ ଫୋନ୍ କିଣିବା ସହ ଘରକୁ ମଧ୍ୟ ଟଙ୍କା ପଠାଉଥିଲି। ତା’ଛଡ଼ା ଏଠାରେ ମୁଁ ନୂଆ ନୂଆ କାମ ବିଷୟରେ ଜାଣିବାକୁ ପାଇଲି। ଏହା ମୋ’ କ୍ୟାରିୟରକୁ ଆଗକୁ ନେବାରେ ସାହାଯ୍ୟ କରିବ’’, କହନ୍ତି ସୋନାଲିକା ସେଠୀ। ସୋନାଲିକା ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାନିକାଲ ଆଣ୍ଡ ଇଲେକ୍ଟ୍ରିକାଲ ସର୍ଭିସେସ୍ ବିଷୟରେ ତାଲିମ ନେଇ ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଲାଗି ସିଙ୍ଗାପୁର ଯାଇଥିଲେ।
‘‘ସିଙ୍ଗାପୁର ସହରରେ ଏକ ପ୍ରମୁଖ କମ୍ପାନିରେ କାମ କରିବା ପାଇଁ ମୁଁ ଦିନେ ସ୍ୱପ୍ନ ଦେଖିଥିଲି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ମେକାଟ୍ରୋନିକ୍ସ ବିଷୟରେ ତାଲିମ ନେବା ଫଳରେ ମୋର ସ୍ୱପ୍ନ ପୂରଣ ହୋଇଛି। ସିଙ୍ଗାପୁରରୁ ମୁଁ ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ଅଧିକ ଜାଣିବାର ସୁଯୋଗ ପାଇଛି। ଏଥିପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ’’ ବୋଲି କହିଥିଲେ ଛାତ୍ର ଅଜୟ ମଙ୍ଗରାଜ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି।