ଭୁବନେଶ୍ୱର: ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ସାମ୍ପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି ।

ଓଡ଼ିଶା ଏକ ଶାନ୍ତିପ୍ରିୟ ଓ ଧର୍ମ ନିରପେକ୍ଷ ରାଜ୍ୟ । ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍ ପରିଚିତ । ବିଲକୁ ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ, ଏନ୍ଆରସି ସହିତ ଏହି ବିଲର କୌଣସି ସମ୍ପର୍କ ନାହିଁ । ଏନ୍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି ।

ଏହି ବିଲ୍ ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି । ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରୁଥିଲେ । ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ୱାରା ଅନେକ ଲୋକ ଏଥିରେ ଉପକୃତ ହେବେ । ବିଜେଡି ଏହି ବିଲକୁ ସମର୍ଥନ କରିବା ସହ ଦଳ ୩ଟି ପରାମର୍ଶ ଦେଇଛି ।
ସେଗୁଡିକ ହେଲା:
୧. ଶ୍ରୀଲଙ୍କାକୁ ଏହି ବିଲରେ ଅନ୍ତର୍ଭୁକ୍ତ କରାଯାଉ । ଶ୍ରୀଲଙ୍କାରେ ଅନେକ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି । ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାନଯାଉ ।
୨. ଏହି ବିଲକୁ ଏନ୍ଆରସି ସହ ଯୋଡ଼ା ନଯାଉ । ଏନ୍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି । ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ।
୩. ମୁସଲମାନ ସମ୍ପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନକରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉ ଥାଇପାରେ ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ୱ । ସରକାର ଦୃଢ଼ତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ୱାସ ବୃଦ୍ଧି କରନ୍ତୁ ଯେ, ଏହି ବିଲ୍ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ନୁହେଁ, ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି ।
ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍ ଆଣିଛନ୍ତି ତାହାର ରାଜନୀତିକରଣ ନକରାଯାଉ । ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ ରହିବା ଆବଶ୍ୟକ । ଦଳର ଉପରୋକ୍ତ ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରୀ କରିବେ ବୋଲି ବିଜେଡି ଆଶା ରଖିଛି । ମୁସଲମାନ ଭାଇଭଉଣୀ ମାନଙ୍କର ସବୁ ସନ୍ଦେହ ଦୂର କରିବା ପାଇଁ ଯେ, ସରକାରଙ୍କର ସେମାନଙ୍କ ବିରୋଧରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଯାହା କିଛି କରାଯାଉଛି ତାହା ଆମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟ ସମ୍ପ୍ରଦାୟର ଭାଇଭଉଣୀମାନଙ୍କ ପାଇଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।


