ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି। ସରକାରୀ କାର୍ଯ୍ୟାଳୟରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ। ତଦ୍ନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍ ସମୟରେ ପାଇପାରିବେ ଏହା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଓମ୍ବୁସମ୍ଯାନ୍ ଗଠନ ହୋଇଛି। ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ମିଳିବ।
ମହିଳା କର୍ମଚାରୀ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ। ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ। ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA ଏବଂ PG ଡିପାର୍ଟମେଣ୍ଟ CMGI ଜରିଆରେ ଏକ ସଫ୍ଟୱେଆର ଆପ୍ଲିକେସନ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।. ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି। ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ।ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସି ମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ।