ସାଧୁ ମେହେର: ସମୟଠାରୁ ଥିଲେ ଆଗରେ, ଟ୍ରାକରୁ ହଟି କରୁଥିଲେ କାମ

ଭୁବନେଶ୍ବର: ସାଧୁ ମେହର । ସମାନ୍ତରାଳ ସିନେମାର ସନ୍ଥ । ଗୁରୁ ଗମ୍ଭୀର ସ୍ୱର । ଅଭିନୟ ଏମିତି, ଯାହା ସିଧା ହୃଦୟକୁ ଆଘାତ କରୁଥିଲା । ପ୍ରଥମ ଓଡିଆ ଯିଏ ଅଭିନୟ ପାଇଁ ପାଇଥିଲେ ଜାତୀୟ ସମ୍ମାନ । ଓଡିଆ ଫିଲ୍ମକୁ ସର୍ବଭାରତୀୟ ସ୍ତରରେ ପହଂଚାଇବାର ଶ୍ରେୟ ତାଙ୍କୁ ମଧ୍ଯ ଯାଏ । ବଳିଷ୍ଠ ଅଭିନୟ ଓ ଦମଦାର ସ୍ୱର ପାଇଁ ପରିଚିତ ସାଧୁ ମେହରଙ୍କ ଜୀବନ ଯାତ୍ରା ଶୁକ୍ରବାର ଶେଷ ହୋଇଛି ।

ଦୁନିଆ ରଙ୍ଗମଞ୍ଚରେ ନିଜ ଅଭିନୟ ସାରି ସାଧୁ ମେହର ଚାଲିଯାଇଛନ୍ତି । ପଛରେ ଛାଡ଼ିଯାଇଛନ୍ତି ଉପଲବ୍ଧିର ପାହାଡ଼ । ଯାହା ଆଗକୁ ପ୍ରେରଣା ଦେବ ।

ସାଧୁ ମେହରଙ୍କ ଯେତେବେଳେ ଆଜି ଆମେ ମନେ ପକାଉ, ସେତେବେଳେ ହୁଏତ ସେ ଆଜିର ପୀଢି ପାଇଁ ଜଣେ ବର୍ଷୀୟାନ ଅଭିନେତା ହୋଇପାରନ୍ତି । ଯିଏ ଅଭିନୟରୁ ଅବସର ନେଇ ନିଜ ଅବସର ଜୀବନ କାଟୁଥିଲେ । କିନ୍ତୁ ଗୋଟିଏ ସମୟ ଥିଲା ,ସାଧୁ ଥିଲେ ସମାନ୍ତରାଳ ସିନେମାର ବଳିଷ୍ଠ ଚେହେରା । ୧୯୮୦ ଦଶକରେ ପାରାଲାଲ ସିନେମାର ଗୋଟିଏ ଚିହ୍ନା ନାମ ଥିଲେ ସାଧୁ ମେହର । ୧୯୭୪ ମସିହାରେ ଅଙ୍କୁର ପାଇଁ ସେ ପାଇଥିଲେ ଜାତୀୟ ଫିଲ୍ମ ପୁରସ୍କାର । ଏଭଳି ସମ୍ମାନ ପାଇବାର ସେ ଥିଲେ ପ୍ରଥମ ଓଡ଼ିଆ । ଅଙ୍କୁର ତାଙ୍କୁ ପରିଚୟ ଦେବାର ୩ ବର୍ଷ ପରେ ସେ ଅଭିମାନ ଜରିଆରେ କ୍ୟାମେରା ପଛକୁ ଆସିଥିଲେ । ଅଭିମାନ ଥିଲା ନିର୍ଦ୍ଦେଶକ ଭାବେ ତାଙ୍କର ପ୍ରଥମ ଫିଲ୍ମ । ଏହି ଫିଲ୍ମକୁ ଆଜି ମଧ୍ୟ ଏକ କଲ୍ଟ କ୍ଲାସିକ୍ ଭାବେ ବିବେଚନା କରାଯାଏ ।

ସାଧୁ ମେହର ଟ୍ରାକରୁ ହଟି କାମ କରୁଥିଲେ । ୧୯୮୦ ଦଶକରେ ଓଡ଼ିଆ ଫିଲ୍ମ ଶିଳ୍ପ ଯେତେବେଳେ ମସଲା ମୋଭି’ରେ ବ୍ୟସ୍ତ ଥିଲା ସେତେବେଳେ ସାଧୁ ଲିକରୁ ହଟି ଓଡିଶାକୁ ଦେଇଥିଲେ ପ୍ରଥମ ସାଇନ୍ସ ଫିକ୍ସନ ଫିଲ୍ମ । ଫିଲ୍ମର ନାଁ ଥିଲା ବାବୁଲା । ୧୯୮୫ରେ ଆସିଥିବା ଏହି ଫିଲ୍ମ ତା’ ସମୟଠାରୁ ଢେର ଆଗରେ ଥିଲା । ଫଳରେ ଫିଲ୍ମ ଚାଲି ନଥିଲା । କିନ୍ତୁ ଗୋଟିଏ କଥା ପ୍ରମାଣିତ କରିଥିଲା, ସାଧୁ ନିଜ ସମୟଠାରୁ ଆଗରେ ଥିଲେ । ବାବୁଲ ଫିଲ୍ମ ଶିଶୁ ଚଳଚିତ୍ର ଥିଲା । ପିଲାଙ୍କୁ ଫିଲ୍ମ ଦ୍ୱାରା ପ୍ରେରିତ କରିବା ପାଇଁ ସାଧୁଙ୍କର ଇଏ ଗୋଟିଏ ଉଦ୍ୟମ ଥିଲା ।

୧୯୬୯ରେ ଭୁବନସୋମ୍ ଜରିଆରେ ସାଧୁ ଫିଲ୍ମ ଦୁନିଆକୁ ପ୍ରଥମେ ପ୍ରବେଶ କରିଥିଲେ । ପାଖାପାଖି ୬ ଦଶକର ଅଭିନୟ ଯାତ୍ରାରେ ସେ ପ୍ରାୟ ୨୭ ଫିଲ୍ମରେ ଅଭିନୟ କରିଥିଲେ ଓ ୫ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ରେ ଅଭିମାନ ନିର୍ଦ୍ଦେଶନା ଦେବାର ୨୦ ବର୍ଷ ପରେ ୧୯୯୫ରେ ଶେଷ ଥର ପାଇଁ ଗୋପରେ ବଢୁଛି ମୋ କଳା କହ୍ନେଇ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ।