spot_img

Latest Posts

ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ

ପୁରୀ: ଆଜି ନୂଆ ଓଡ଼ିଶାର ଇତିହାସରେ ଯୋଡ଼ିହେବ ଆଉ ଏକ ଉଜ୍ୱଳ ଅଧ୍ୟାୟ। ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ। ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲଡିଂ। ଦିନ ସାଢେ ୧୧ଟାରେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି। ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି। କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ। ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି।

ସେହିପରି ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ସ୍କୁଲ ଅଫ ଲର୍ଣ୍ଣିଂ ତଥା ଏକାଡେମିକ ବିଲ୍ଡିଂ। ଏଠାରେ ପିଲାମାନେ ପଢିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ। କ୍ୟାମ୍ପସରେ ୩ଟି ହଷ୍ଟେଲ ରହିଥିବାବେଳେ ଏହାକୁ ତାରକା ହୋଟେଲ ଭଳି ପ୍ରସ୍ତୁତ କରାଯାଇଛି। ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି। ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। କ୍ୟାମ୍ପସକୁ ପାଣ୍ଡିଆନଙ୍କ ଲଗାତାର ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ  ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ୨୪ ଜଣ ହିସାବରେ  ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରୁଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ସତ୍ୟବାଦୀର ପଞ୍ଚସଖାଙ୍କ ପ୍ରତି ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ।

Latest Posts

Don't Miss