ନେତାଜୀ ଜୟନ୍ତୀ ପାଇଁ ପ୍ରସ୍ତୁତି ଜୋରଦାର, ସଜେଇ ହେଉଛି ଜନ୍ମସ୍ଥାନ ସଂଗ୍ରହାଳୟ
କଟକ: ନେତାଜୀ ଜୟନ୍ତୀ ପାଇଁ ପ୍ରସ୍ତୁତି ଜୋରଦାର । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ହୋଇଛି ମୃଣ୍ମୟ ଭାସ୍କର୍ଯ୍ୟ ଶିଳ୍ପୀ ଶିବିର । ଓଡିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଶିବିରରେ ଶ୍ରେଷ୍ଠ ୧୮ ଜଣ ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ଭାଗ ନେଇଛନ୍ତି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଶିବିରରେ ନେତାଜୀଙ୍କ ଜୀବନୀ, ସଂଗ୍ରାମର କାହାଣୀ ଓ ଆଦର୍ଶ ଉପରେ ସୁନ୍ଦର ସୁନ୍ଦର ଭାସ୍କର୍ଯ୍ୟ ପ୍ରତିମୂର୍ତ୍ତି ତିଆରି ହେଉଛି । ମାଟି, ଅଠା ଓ ରଙ୍ଗ ସାହାଯ୍ୟରେ ପ୍ରସ୍ତୁତ ହେଉଥିବା ଏହି ସବୁ ଭାସ୍କର୍ଯ୍ୟ ନେତାଜୀଙ୍କ ଜୟନ୍ତୀରେ ପ୍ରଦର୍ଶିତ ହେବ।
ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂଗ୍ରହାଳୟକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବେ । ହଜାର ହଜାର ଛାତ୍ରଛାତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ସଂଗ୍ରହାଳୟ ବୁଲିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିବେ । ଜୟନ୍ତୀ ପୂର୍ବରୁ ଚିତ୍ରକରଙ୍କୁ ନେଇ ପେଣ୍ଟିଂ ପ୍ରଦର୍ଶନୀ ଆୟୋଜିତ ହେଉଥିଲା । ଚଳିତବର୍ଷ ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ଉତ୍ସାହିତ କରିବା ପାଇଁ ହୋଇଛି ଅଭିନବ ଆୟୋଜନ । ଏହି ଅବସରରେ ସମସ୍ତ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ରୂପାନ୍ତରିତ ସଂଗ୍ରହାଳୟ ଦେଖିବେ ଦର୍ଶକ ।