ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା
1 min readହାଇଦ୍ରାବାଦ/ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶା ଦେଶରେ ଶ୍ରେଷ୍ଠ । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ସ୍ଥାନ ହାତେଇଛି । ଫଳରେ ଦ୍ରୁତଗତିରେ ଗମନାଗମନର ସୁବିଧା ମିଳିବ ସହ ଆର୍ଥିକ ଅଭିବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ମିଳିଛି ଏହି ବଡ଼ ସ୍ବୀକୃତି । ବିକଶିତ ଓଡ଼ିଶା ଗଠନରେ ବିମାନ ସେବା ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ସାକାର ହୋଇଛି ସ୍ବପ୍ନ । ସୁଗମ ହୋଇଛି ବିମାନଯାତ୍ରା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ହୋଇଛି ସଂଯୋଗୀକରଣ । ବଦଳି ଯାଇଛି ଅର୍ଥନୀତି, ସୁଦୃଢ ହେବାରେ ଲାଗିଛି ପର୍ଯ୍ୟଟନ ଶିଳ୍ପ । ଆକାଶ ମାର୍ଗରେ ନୂଆ ଇତିହାସ ସୃଷ୍ଟି କରିଛି ଓଡ଼ିଶା ।
କଳାହାଣ୍ଡିର ଉତକେଲା, ମାଲାକାନାଗିରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି । ଏହା ବିମାନଯାତ୍ରା ସୁଗମ କରିଥିବା ବେଳେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାତ୍ର କେଇ ଘଣ୍ଟା ଭିତରେ ଯାତାୟତ ହୋଇପାରୁଛି । ବିମାନସେବା କ୍ଷେତ୍ରରେ ରାଜ୍ୟକୁ ରାଜ୍ୟ ସଂଯୋଗୀକରଣରେ ନିରନ୍ତର ପ୍ରୟାସ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ବୀକୃତି ଦେଇଛି । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ଓଡ଼ିଶାରେ ବିମାନସେବା ପାଇଁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି ।
ଓଡ଼ିଶାରୁ ବିମାନସେବା କେବଳ ରାଜ୍ୟରୁ ରାଜ୍ୟକୁ ସଂଯୋଗୀକରଣ କରିନାହିଁ । ପୂରା ବିଶ୍ବକୁ ଆକାଶମାର୍ଗରେ ଯୋଡ଼ିବାକୁ ନିରନ୍ତର ପ୍ରୟାସ ମଧ୍ୟ ଜାରି ରହିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଭୁବନେଶ୍ବରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନସେବା ଆରମ୍ଭ ହୋଇଛି । ଆଗକୁ ଅନ୍ୟ ଦେଶକୁ ମଧ୍ୟ ସିଧାସଳଖ ବିମାନ ଉଡ଼ିବ । ଯାହା ବିଶ୍ବ ଦରବାରରେ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେବ । ରାଜ୍ୟରୁ ରାଜ୍ୟ ଓ ଦେଶରୁ ଅନ୍ୟ ଦେଶ ସିଧାସଳଖ ବିମାନ ଚଳାଚଳ ହେବା ଫଳରେ ଓଡ଼ିଶାର ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପୁଞ୍ଜିନିବେଶ ଓ ପର୍ଯ୍ୟଟନ ଶିଳ୍ପରେ ବୃଦ୍ଧି ଘଟିଛି ।
ଆଗକୁ ଓଡ଼ିଶାରେ ଆହୁରି ବ୍ୟାପକ ହେବ ବିମାନସେବା । ଉଡାଣ ଯୋଜନାକୁ ଓଡ଼ିଶା ସଫଳତାର ସହ କାର୍ଯ୍ୟକାରୀ କରିବାରେ ଦେଶରେ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି ।