ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ, ୧୨ ଶିଳ୍ପୀ ପୁରସ୍କୃତ
1 min readଭୁବନେଶ୍ବର: ୪୧ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏକ ଉଚ୍ଚସ୍ତରୀୟ ଚୟନ କମିଟି ଦ୍ବାରା ସାବ୍ୟସ୍ତ ହୋଇଥିବା ଚଳିତ ବର୍ଷ ୧୨ ଜଣ ଶିଳ୍ପୀଙ୍କୁ ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ପ୍ରଦାନ କରାଯାଇଛି ।
ପୂର୍ବରୁ ଏକାଡେମୀ ତରଫରୁ ୮ଟି ପୁରସ୍କାର ପ୍ରଦାନ କରାଯାଉଥିଲା । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ଠାରୁ ଏହାକୁ ବୃଦ୍ଧି କରାଯାଇ ୧୨ଟି ପୁରସ୍କାର ଘୋଷଣା କରାଯାଇଥିଲା ।
ଉତ୍ସବରେ ଚଳିତ ବର୍ଷ ଚାରୁକଳା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଚିତ୍ରରେ ଶିଳ୍ପୀ ସୋଫିୟା ୟାଗିନ, ଦିନେଶ ମୁଦୁଲି, ବିକ୍ରମ କେଶରୀ ଫାରକ, ନରେନ୍ଦ୍ର କୁମାର ମାଝୀ ଓ ନରେଶ ସୁନା, ଭାସ୍କର୍ଯ୍ୟରେ ଭିକାରୀ ପ୍ରଧାନ, କାନ୍ତ କିଶୋର ମହାରଣା ଓ ହିମାଂଶୁ ମହନ୍ତ, ମୁଦ୍ରଣ କଳାରେ ଅମୀୟ ରଞ୍ଜନ ଓଝା ଓ ଅଙ୍କିତା ସାହୁ ଏବଂ ପାରମ୍ପରିକ କାଳରେ ପୂର୍ଣଚନ୍ଦ୍ର ମହାପାତ୍ର ଓ ପୁଷ୍ପାଞ୍ଜଳୀ ରାଓ ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର-୨୦୨୩ ରେ ପୁରସ୍କୃତ କରାଯାଇଛି । ଉତ୍ସବରେ ପୁରସ୍କୃତ ଶିଳ୍ପୀଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଛି । ଏକାଡେମୀର ସଭାପତି ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉତ୍ସବରେ ଅଧ୍ଯକ୍ଷତା କରିଥିଲେ ।