spot_img

Latest Posts

ମାରଦା ଜଗନ୍ନାଥ ମନ୍ଦିରର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଗଞ୍ଜାମ: ଶରଣ ଶ୍ରୀକ୍ଷେତ୍ର ମାରଦା ଜଗନ୍ନାଥ ମନ୍ଦିରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ରୂପାନ୍ତରୀକରଣ ଲାଗି ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିବା ଯୋଗୁ ଏବେ ଉନ୍ନତ ରାସ୍ତା ହୋଇଛି ବୋଲି କହିଛନ୍ତି ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି ସେ  ଜିଲ୍ଲାପାଳ ଥିବା ବେଳେ ଏଠାକୁ ଆସିଥିଲେ । ମାତ୍ର ସ୍ଥିତି ଏବେ ଅନେକ ବଦଳିଛି । ପଞ୍ଚାୟତର ପ୍ରତ୍ୟେକ ହାଇସ୍କୁଲ ରୂପାନ୍ତରୀକରଣ ହୋଇଛି। ଗରିବ ଲୋକ ଘରୋଇ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇପାରିବେ ନାହିଁ ।

ତେଣୁ ମୁଖ୍ୟମନ୍ତ୍ରୀ ସରକାରୀ ସ୍କୁଲରେ ଏଭଳି ବ୍ୟବସ୍ଥା କରିଛନ୍ତି । ସ୍କୁଲ ପରେ ହାୟରସେକେଣ୍ଡାରି ସ୍କୁଲ ଏବଂ କଲେଜ ଗୁଡିକର ରୂପାନ୍ତରିକରଣ ହୋଇଛି।  ପ୍ରତି ପଞ୍ଚାୟତରେ ଥିବା ପୁରାତନ ମନ୍ଦିରର ପୁନରୁଦ୍ଧାର ସହ ରୂପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିବେ। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଉଛନ୍ତି। ଖୁବଶୀଘ୍ର ଏହି ଅଞ୍ଚଳରେ ଲକ୍ଷ୍ମୀ ବସ ଗଡିବ। ମହିଳା ମାନେ ମାତ୍ର ୫ ଟଙ୍କାରେ ପଞ୍ଚାୟତରୁ ବ୍ଳକ ପର୍ଯ୍ୟନ୍ତ ଯାଇପାରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ଗଞ୍ଜାମ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଏହି କ୍ରମରେ ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ପହଞ୍ଚି ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହାସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ ।

ସେହିପରି ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେହିପରି ମନ୍ଦିର, ମସଜିଦ୍ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି । ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।

Latest Posts

Don't Miss