ବାୟୁ ପ୍ରଦୂଷଣ ରୋକିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ? ପ୍ରଶ୍ନ କଲେ ସାଂସଦ

ନୂଆଦିଲ୍ଲୀ: କୋଇଲା ଖଣି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନେଇ ସଂସଦରେ ଉଦବେଗ । ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । କୋଇଲା ଖଣି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ସେନେଇ ସଂସଦରେ ସେ ଲିଖିତ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର କୋଇଲା ଖଣିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏପରିକି କୋଇଲା ଖଣିଗୁଡିକ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଅନୁପାଳନ କରୁଛନ୍ତି କି ନାହିଁ ତାର ତଦାରଖ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ମିଳିତ ବ୍ୟବସ୍ଥା ଗ୍ରହଣ କରାଯାଉଛି କି ନାହିଁ ସେନେଇ ମଧ୍ୟ ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି । ବିଜେଡି ସାଂସଦଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

କେନ୍ଦ୍ର ସରକାର ସାରା ଦେଶର କୋଇଲା ଖଣିରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତିନୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବକଙ୍କୁ ପରିବେଶର ପ୍ରଭାବ ଅଧ୍ୟୟନ କରିବାକୁ ପଡିବ ଏବଂ ପରିବେଶର ସୁରକ୍ଷା ନିଶ୍ଚିତ କରିବାକୁ ଉପଯୁକ୍ତ ପରିବେଶ ପରିଚାଳନା ଯୋଜନା ଗ୍ରହଣ କରିବାକୁ ପଡିବ । ସେହିଭଳି କୋଇଲା ଖଣି ମାନକ ବିଜ୍ଞପ୍ତି ଅନୁଯାୟୀ ପୂରୁଣା ଓ ନୂଆ ଖଣିଗୁଡିକ କୋର ଏରିଆରେ ପ୍ରଦୂଷଣ ରୋକିବା ପାଇଁ କି ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।

ନ୍ୟାସନାଲ୍ ଆମ୍ବିଏଣ୍ଟ୍ ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡସରେ ଖଣିଗୁଡିକ ଚାରିପାଖରେ ଥିବା ବଫର୍ ଜୋନରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖଣି ଖନନ ଓ ବିକାଶ ସମୟରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାର ଅନୁପାଳନ କରାଯାଉଛି କି ନାହିଁ ତାହା କେନ୍ଦ୍ରୀୟ କୋଇଲା ପିଏସୟୁ ଗୁଡିକ ଯାଞ୍ଚ କରିଥାନ୍ତି । ଖଣି ଲିଜଧାରୀମାନେ ମଧ୍ୟ ପ୍ରତି ଛଅ ମାସରେ କେନ୍ଦ୍ର ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ଦେଇଥାନ୍ତି । ଖଣି ଅଞ୍ଚଳରେ ଶିଳ୍ପାୟନ ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କ୍ଷମତା ଦିଆଯାଇଛି ।