spot_img

Latest Posts

ଭାରତ ପାଇଁ ସବୁଠୁ ବଡ଼ ବିପଦ ଡିପଫେକ୍, ଜାଣନ୍ତୁ କ’ଣ ରହିଛି ଦଣ୍ଡ ବିଧାନ

ନୂଆଦିଲ୍ଲୀ: ବଢୁଛି ଡିପଫେକ ଭିଡିଓ କାରନାମା। ରଶ୍ମିକା ମନ୍ଦନ୍ନା, କାଟ୍ରିନା କୈଫଙ୍କ ପରେ ଏବେ ବଲିଉଡ ଅଭିନେତ୍ରୀ କାଜୋଲ। କାଜୋଲଙ୍କ ଡିଜିଟାଲ ଫେକ ଭିଡିଓ ଏବେ ହୋଇଛି ଭାଇରାଲ । କାଜୋଲଙ୍କ ମୁହଁ ପରି ଦେଖାଯାଉଥିବା ଜଣେ ମହିଳା କ୍ୟାମେରା ଆଗରେ ପୋଷାକ ବଦଳାଉଥିବାର ଦୃଶ୍ୟ ଭାଇରାଲ ହୋଇଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। କାରଣ ମୋଦୀ ମଧ୍ୟ ଏହି ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି।

ତେବେ ଫ୍ୟାକ୍ଟଚେକିଂ ପ୍ଲାଟଫର୍ମ ବୁମ୍ ଲାଇଭ ଅନୁସାରେ ପ୍ରକୃତରେ ଏହା ଏକ ଇଂରାଜୀ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଭିଡିଓ ଏବଂ ଏହାକୁ ଟିକଟକରେ ପୋଷ୍ଟ କରାଯାଇଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନସ ଜରିଆରେ କାଜୋଲଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରାଯାଇଛି। ମୂଳ ଭିଡିଓଟି ଗତ ଜୁନ ୫ରେ ଟିକଟକରେ ଅପଲୋଡ କରାଯାଇଥିଲା। ସେଥିରେ ଇଫ୍ଲୁଏନସର ରୋଜି ବ୍ରିନ ଥିଲେ । ମାତ୍ର ସେହି ଭିଡିଓକୁ ଏଡିଟ କରାଯାଇ କାଜୋଲଙ୍କ ଫେସକୁ ଲଗାଯାଇଛି। ରଶ୍ମିକାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏକ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ସୁପରଷ୍ଟାର ଅମିତାଭ ବଚ୍ଚନ। ରଶ୍ମିକାଙ୍କ ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ଦାୟର ହୋଇସାରିଛି। ପୋଲିସ ବିହାରର ଜଣେ ୧୯ ବର୍ଷ ବୟସ୍କ ଯୁବକକୁ ଜେରା କରିଛି।

ଡିପଫେକ୍ କଣ ?

ଡିପଫେକ୍ ଏକ ମିଛ ଭିଡିଓ କିମ୍ବା ମିଛ ଭିଜୁଆଲ୍ସ। ସ୍ବତନ୍ତ୍ର ସଫ୍ଟଓୟାର ବ୍ୟବହାର କରି ମିଛ ଭିଡିଓ ପ୍ରସ୍ତୁତ କରାଯାଉଛି। ଡିପ୍ ମେସିନ୍ ଲାର୍ଣ୍ଣିଂ ଟେକ୍ନୋଲୋଜି ମାଧ୍ୟମରେ ଏହା ପ୍ରସ୍ତୁତ ହୁଏ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଗୋଟିଏ କ୍ଲିକରେ ସମ୍ଭବ। ଜଣେ ବ୍ୟକ୍ତିଙ୍କ ଫଟୋ ଅନ୍ୟ ଜଣେ ବ୍ୟକ୍ତିଙ୍କ ଶରୀରରେ ଯୋଡି ଦିଆଯାଏ । ଡିପଫେକକୁ ଏକବିଂଶ ଶତାବ୍ଦୀର ଫଟୋସପ୍ କହିପାରିବା। ପୁରା ଅସଲି ଲାଗୁଥିଲେ ବି ଏ ଭିଡିଓ ନକଲି ହୋଇଥାଏ। ନିର୍ଦ୍ଦିଷ୍ଟ ସଫ୍ଟଓୟାରରୁ କୋଡ୍ ଡାଉନଲୋଡ କରି ଇମେଜ୍ ରିପ୍ଲେସ୍ କରାଯାଏ। ଅନେକ ସମୟରେ ଛବି ସହିତ ଅଡିଓ ବ୍ୟବହାର କରି ଡିପଫେକ୍ କରାଯାଏ। ବହୁ ସେଲିବ୍ରିଟି ଓ ପ୍ରସିଦ୍ଧ ବ୍ୟକ୍ତିଙ୍କର ଏଭଳି ଡିପଫେକ୍ ଭିଡିଓ କରାଯାଉଛି।

ଡିପଫେକ୍ ପାଇଁ କଣ ରହିଛି ଆଇନ ?
ବିଶ୍ବର ବିଭିନ୍ନ ଦେଶରେ ଏଭଳି ଆପତ୍ତିଜନକ ଭିଡିଓ ପାଇଁ ଆଇନ ରହିଛି। ଡିପ୍ ଫେକ୍ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।

କିଛି ଦେଶରେ ଜେଲଦଣ୍ଡ ଓ ଜୋରିମାନା ଉଭୟ ରଖାଯାଇଛି। ଦକ୍ଷିଣ କୋରିଆରେ ଡିପଫେକ୍ ଭିଡିଓ ପାଇଁ ରହିଛି ସ୍ବତନ୍ତ୍ର ଆଇନ୍। ଦକ୍ଷିଣ କୋରିଆରେ ଏଭଳି ଭିଡିଓ ପ୍ରସ୍ତୁତକାରୀଙ୍କୁ ୫ ବର୍ଷର ଜେଲଦଣ୍ଡ ରହିଛି। ୟୁରୋପୀୟ ୟୁନିୟନ୍ ମଧ୍ୟ ଫାଇନର ବ୍ୟବସ୍ଥା କରିଛି। ଭାରତରେ ଡିପଫେକ୍ ଭିଡିଓ ପାଇଁ ସ୍ବତନ୍ତ୍ର ଆଇନ୍ ନାହିଁ। ଆଇଟି ଆଇନ ୨୦୦୦ ସେକ୍ସନ ୬୬-Eରେ କିଛି ପ୍ରାବଧାନ ରହିଛି। ନାଗରିକଙ୍କ ଗୋପନୀୟତାର ଉଲଂଘନ ନେଇ IT ଆକ୍ଟରେ ଦଣ୍ଡ ରହିଛି। ଅନ୍ୟର ଫଟୋ ପ୍ରକାଶ କିମ୍ବା ପ୍ରସାରଣ ପାଇଁ IT ଆକ୍ଟରେ ଦଣ୍ଡ ରହିଛି। ଭାରତୀୟ ଆଇନ ଅନୁସାରେ ଏଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରହିଛି।

ଖାଲି ସେଲିବ୍ରିଟି ନୁହେଁ ପ୍ରଧାନମନ୍ତ୍ରୀଙ୍କର ମଧ୍ୟ ଏକ ଡିପଫେକ ଭିଡିଓ ଖୁବ ଭାଇରାଲ ହୋଇଛି । ଯେଉଁଥିରେ ସେ ଗରବା କରୁଥିବା ଦେଖିବାକୁ ମିଳିଛି । ତୁରନ୍ତ ଏଭଳି ଭିଡିଓ ଉପରେ ବ୍ରେକ ଲଗାଇବା ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ।

Latest Posts

Don't Miss