spot_img

Latest Posts

ଆସିଲା ଚାଞ୍ଚଲ୍ୟକର ଖବର; ପଣବନ୍ଦୀଙ୍କୁ ହତ୍ୟା କରୁଛି ହମାସ!

ଗାଜା: ପଣବନ୍ଦୀଙ୍କୁ ହତ୍ୟା କରୁଛି ହମାସ। ଏନେଇ ଆସିଲା ଚାଞ୍ଚଲ୍ୟକର ଖବର। ଗତ ଅକ୍ଟୋବର ୭ରେ ହମାସ ଦ୍ବାରା ଅପହୃତ ଜଣେ  ମହିଳାଙ୍କ ଶବକୁ ପାଇଛନ୍ତି ଇସ୍ରାଏଲ ବାହିନୀ। ସେହି ମହିଳାଙ୍କ ନାମ ୟେହୁଦିତ ଓ୍ବେସ ଏବଂ ତାଙ୍କର ବୟସ ୬୫ ବର୍ଷ । ତାଙ୍କର ୫ ଜଣ ସନ୍ତାନ ଅଛନ୍ତି। ସେ ଏକ କିଣ୍ଡରଗାର୍ଟନରେ କାର୍ଯ୍ୟ କରୁଥିଲେ । ଦକ୍ଷିଣ ଇସ୍ରାଏଲର କିବୁଜ ଅଞ୍ଚଳରୁ ତାଙ୍କୁ ହମାସ ଆତଙ୍କବାଦୀ ଅପହୃତ କରିଥିଲେ। ଶିଫା ହସ୍ପିଟାଲ ନିକଟରୁ ତାଙ୍କ ଶବ ମିଳିଛି।

ଇସ୍ରାଏଲ ବାହିନୀ ଠିକ୍ ସମୟରେ ସେହି ସ୍ଥାନରେ ପହଞ୍ଚି ନପାରିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଇଛି। ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ହମାସ କର୍ମୀ ହତ୍ୟା କରିଥିଲେ। ହମାସ ଦ୍ବାରା ଅପହୃତ ୨୪୦ ବ୍ୟକ୍ତି ମଧ୍ୟରେ ଅନ୍ୟତମ ଥିଲେ ଓ୍ବେସ। ବର୍ତ୍ତମାନ ଅଲ ଶିଫା ହସ୍ପିଟାଲକୁ ଆଇଡିଏଫ ବୁଲଡୋଜର ସାହାଯ୍ୟରେ ଅକ୍ତିଆର କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

ହସ୍ପିଟାଲ ଭିତରେ ୨ ହଜାର ୩ ଶହ ରୋଗୀ, ଷ୍ଟାଫ, ସାଧାରଣ ନାଗରିକ, ୩୬ ଜଣ ନବଜାତ ରହିଛନ୍ତି ବୋଲି କହିଛି ଜାତିସଂଘ। ଉପଯୁକ୍ତ ଯତ୍ନ ଅଭାବରୁ ଅନେକ ନବଜାତକଙ୍କ ମୃତ୍ୟୁ ହୋଇଛି। ତେଣେ ଯୁଦ୍ଧ, ସାମଗ୍ରୀ ଅଭାବ, ଯନ୍ତ୍ରପାତି ନଷ୍ଟ ଯୋଗୁ ଗାଜାର ଅନେକ ହସ୍ପିଟାଲରେ ଚିକିତ୍ସା ସେବା ଠପ୍ ହୋଇଛି। ଯୁଦ୍ଧରେ ପ୍ରାୟ ୧୫ ଲକ୍ଷ ଲୋକ ବାସଚ୍ୟୁତ ହେଲେଣି। ଖାଦ୍ୟାଭାବ ଚରମସୀମାରେ ପହଞ୍ଚିଥିବା ରିପୋର୍ଟରୁ ପ୍ରକାଶ।

Latest Posts

Don't Miss