ସେ ପୁରୁଷ । କେତେବେଳେ ପିତା ହୋଇ ପିଲାର ଖେଳଣା ପାଇଁ ଟଙ୍କା ସଞ୍ଚୟ କରେ ତ ପୁଣି କେବେ ନିଜେ ଖେଳଣା ହୋଇ ଛୁଆଙ୍କୁ ପିଠିରେ ବୁଲାଏ । ସେ ପୁତ୍ର …ତା ଭିତରର ଚପଳତା କେତେବେଳେ ଦାୟିତ୍ୱବୋଧ ଭାରରେ ତାକୁ ଅଣନିଶ୍ୱାସୀ କରିପକାଏ ସେ ହିସାବ ପାଇଁ ତାର ସମୟ କାହିଁ । କେବେ କାନ୍ଧରେ ବସାଏ ତ କେବେ କୋକେଇ ଯାଏଁ କାନ୍ଧ ଦିଏ ।

ପ୍ରେମିକ ହୋଇ କେବେ ରକ୍ଷଣାଶୀଳ କଥା ହୁଏ …ତ ଆଉ କେତେବେଳେ ଭାଇ ହୋଇ ରକ୍ଷକର ପ୍ରତିଶ୍ରୁତି ନିଭାଏ, ପୁଣି କେତେବେଳେ ସ୍ୱାମୀ ହୋଇ ସୁଖଦୁଃଖର ସାଥୀ ପାଲଟିଯାଏ । ଅନେକ ତ୍ୟାଗ, ଅନେକ ସଂଘର୍ଷ ଏବଂ ସହନଶୀଳତା ଭିତରେ ସେ ପରିବାରକୁ ଖୁସି ରଖିବା ପାଇଁ ସଦାତତ୍ପର । ଖରା, ବର୍ଷା, ଶୀତରେ ବି ଅହରହ ଖଟିଚାଲେ କେବଳ ନିଜଲୋକଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ।

ଗଳ୍ପ ଉପନ୍ୟାସ, କବିତା କୁହନ୍ତୁ ବା ସୋସିଆଲ ମିଡ଼ିଆ ପ୍ରତ୍ୟେକ ଜାଗାରେ ନାରୀଙ୍କୁ ଭୁରି ଭୁରି ପ୍ରଶଂସା କରାଯାଏ ହେଲେ କେହି କାହିଁ ପୁରୁଷଙ୍କ ତ୍ୟାଗକୁ ନେଇ ତାଙ୍କୁ ଉତ୍ସାହିତ କରେନି, ସତେଯେମିତି ଏହା ତାଙ୍କର ଜନ୍ମଗତ କର୍ତ୍ତବ୍ୟ । ତେବେ ଆଜି ନଭେମ୍ବର୧୯ ଅନ୍ତର୍ଜାତୀୟ ପୁରୁଷ ଦିବସ ଏକ ଅବସର ଆଣିଛି ସେମାନଙ୍କ ନିରନ୍ତର ସଂଘର୍ଷକୁ ଅନୁଭବ କରିବା ପାଇଁ । ୧୯ ନଭେମ୍ୱର ୧୯୯୯ ମସିହାରେ ଓ୍ୱେଷ୍ଟ୍ଇଣ୍ଡିଜ୍ର ଜଣେ ପ୍ରଫେସର୍ ଡକ୍ଟର ଜେରମ୍ ତିଲୁକ୍ସିଂହ ଏହାକୁ ପ୍ରଥମେ ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ସାରା ବିଶ୍ୱର ଅନେକ ଦେଶ ଏହି ଦିନକୁ ପୁରୁଷ ଦିବସଭାବେ ପାଳନ କରୁଛନ୍ତି । ତେବେ ୨୦୦୭ରୁ ଭାରତରେ ପୁରୁଷ ଦିବସ ପାଳିତ ହୋଇଆସୁଛି ।
')}

