spot_img

Latest Posts

ଦୁଇ ଭାଗ ହେଲା ଗାଜା, ଭୟଙ୍କର ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ

ବ୍ୟୁରୋ ରିପୋର୍ଟ: ଦୁଇ ଭାଗ ଗାଜା, ଉତ୍ତର ଓ ଦକ୍ଷିଣ ଗାଜା ଭାବରେ ଭାଗ ହୋଇଛି ଗାଜା । ଇସ୍ରାଏଲ-ଗାଜା ଯୁଦ୍ଧର ଘନଘଟା  ମଧ୍ୟରେ ଏହି ଘୋଷଣା କରିଛି ଇସ୍ରାଏଲ ସେନା ।ଉତ୍ତର ଗାଜାର ଚାରିପଟେ ଏବେ ଘେରି ରହିଛନ୍ତି ଇସ୍ରାଏଲି ଯବାନ। ୪୮ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ସହର ଭିତରେ । ଜୋରଦାର ହେବ ସଂଘର୍ଷ । ସେପଟେ ଗାଜାରେ ୨୪ ଘଣ୍ଟା ମଧ୍ୟରେ ୪୫୦ ଆତଙ୍କୀ ଶିବିର ନଷ୍ଟ କରିଛି ଇସ୍ରାଏଲ। ୩୦ ଦିନର ଏହି ଇସ୍ରାଏଲ-ଗାଜା ଯୁଦ୍ଧ ଏବେ ଭୟଙ୍କର ରୂପ ନେଲାଣି  । ଯୁଦ୍ଧ ଆରମ୍ଭ ପରଠାରୁ ପାଖାପାଖି ୧୦ ହଜାର ପାଲଷ୍ଟିନୀୟଙ୍କ ମୃତ୍ୟୁ ହେଲାଣି । ଏସବୁ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଆହ୍ବାନ କରିଛନ୍ତି ଜାତିସଂଘର ବିଭିନ୍ନ ସଂଗଠନ ।

ଦୁଇ ଭାଗ ଗାଜା । ଇସ୍ରାଏଲ ସେନାର ଏହି ଦାବି । ଉତ୍ତର ଗାଜା ଓ ଦକ୍ଷିଣ ଗାଜା ଭାବେ ଦୁଇ ଭାଗ । ଉତ୍ତର ଗାଜାକୁ ଘେରି ରହିଛନ୍ତି ହଜାର ହଜାର ସଂଖ୍ୟାରେ ଇସ୍ରାଏଲି ସୈନ୍ୟ। ୧୪ ଲକ୍ଷରୁ ଅଧିକ ଜନବସତିର ଏହି ଅଂଚଳକୁ ଛାଡିବାକୁ ଅଲଟିମେଟମ ଦେଇଥିଲା ଇସ୍ରାଏଲ ସେନା । ଏବେବି ସାଢେ ୩ ଲକ୍ଷ ଲୋକେ ଏହି ଅଂଚଳରେ ରହିଛନ୍ତି। ଆଗାମୀ ୪୮ ଘଣ୍ଟା ଉତ୍ତର ଗାଜା ପାଇଁ ବିପଦର ଘଣ୍ଟି । କୌଣସି ମୁହୂର୍ତ୍ତରେ ଗାଜା ଭିତରକୁ ପଶିବେ ଇସ୍ରାଏଲର ହଜାର ହଜାର ଜବାନ । ତାପରେ ଆତଙ୍କୀ ସହ ହେବ ମୁହାଁମୁହିଁ ଲଢେଇ। ୨୪ ଘଣ୍ଟାରେ ମଧ୍ୟରେ ଗାଜା ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ୪୫୦ ଆତଙ୍କୀ ଶିବିର ଧ୍ବଂସ କରିଛି। ଏଥିମଧ୍ୟରେ ଏକାଧିକ ଟନେଲ, ଆତଙ୍କୀ ଶିବିର, ହମାସ ସାମରିକ ପୋଷ୍ଟ, ଆଣ୍ଟି ଟ୍ୟାଙ୍କ ମିସାଇଲକୁ ଟାର୍ଗେଟ କରି ହୋଇଥିଲା ଏୟାରଷ୍ଟ୍ରାଇକ୍ । କେନ୍ଦ୍ରୀୟ ଗାଜାର ଦୁଇ ଶରଣାର୍ଥୀ ଶିବିର ଉପରକୁ ମଧ୍ୟ ହୋଇଥିଲା ବୋମାମାଡ଼। ରବିବାର ମୋବାଇଲ ସହ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଥିଲା  ।

ଯୁଦ୍ଧ ସ୍ଥିତିରେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ ଆଲୋଚନା କରିଛନ୍ତି। ୱେଷ୍ଟବ୍ୟାଙ୍କ୍ ଅଂଚଳରେ ମଧ୍ୟ ଯୁଦ୍ଧ ଜୋରସୋରରେ ଚାଲିଛି। ଇସ୍ରାଏଲ ଆକ୍ରମଣରେ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେଉଛି ଆମେରିକା। ଉପରାଷ୍ଟ୍ରପତି କମଳା ହାରିସ ଗାଜାକୁ ମାନବୀୟ ସହାୟତା ପଠାଇବା ଉପରେ ବିଶ୍ବର ପ୍ରମୁଖ ରାଷ୍ଟ୍ରନେତାଙ୍କ ସହ ଆଲୋଚନା କରିଛନ୍ତି। ଗାଜା ସ୍ଥିତି ନେଇ ଜାତିସଂଘ ସୁରକ୍ଷା ପରିଷଦ ସତର୍କ ଦୃଷ୍ଟି ରଖିଛି। ସେପଟେ ବ୍ରିଟେନ ଲେବାନନରୁ ଦୂତାବାସର କିଛି କର୍ମଚାରୀଙ୍କୁ ସାମୟିକ ଭାବେ ପ୍ରତ୍ୟାହାର କରିଛି। ସଂଘର୍ଷ ମଧ୍ୟରେ ଇସ୍ରାଏଲ ଏବଂ ଗାଜା ଗସ୍ତ କରୁଥିବା ନିଜର ନାଗରିକଙ୍କୁ ଦୁଇ ଦେଶ ଛାଡିବାକୁ ଆଲର୍ଟ ଜାରି କରିଛି ବ୍ରିଟେନ୍।

ସେପଟେ ମଧ୍ୟପ୍ରାଚ୍ୟ ଅଂଚଳରେ ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧପୋତ ମୁତୟନ କରିଛି ଆମେରିକା । ଇଜିପ୍ଟର ସୁଏଜ କେନାଲ ଅଂଚଳରେ ଏହି ଯୁଦ୍ଧପୋତ ମୁତୟନ ରହିଛି । ବର୍ତ୍ତମାନ ସୁଦ୍ଧା ଗାଜାରେ ଜାତିସଂଘର ୮୮ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। କୌଣସି ଯୁଦ୍ଧରେ ଏତେ ସଂଖ୍ୟକ ଜାତିସଂଘ କର୍ମଚାରୀଙ୍କ ମୃତ୍ୟୁ ପ୍ରଥମ ଘଟଣା । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଲେବାନନର ୪ ଜଣଙ୍କର ମୃତ୍ୟୁ ଘଟିଛି ।

Latest Posts

Don't Miss