ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ ବଗି ଲାଇନଚ୍ୟୁତ, ୪ ମୃତ
1 min readପାଟନା: ବିହାରରେ ଲାଇନଚ୍ୟୁତ ହୋଇଛି ନର୍ଥ-ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଗୁରୁତର ହୋଇଛନ୍ତି। ଗତକାଲି ରାତି ପ୍ରାୟ ୯ଟା ୩୫ରେ ବିହାର ବକ୍ସର ଜିଲ୍ଲା ରଘୁନାଥପୁର ଷ୍ଟେସନ ନିକଟରେ ଦିଲ୍ଲୀ-ହାୱଡା ରେଳ ଲାଇନରେ ରେଳ ଦୁର୍ଘଟଣା ଘଟିଥିଲା । ଦାନାପୁର ଡିଭିଜନର ବକ୍ସର- ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନ୍ର ଏକ ବଗି ସମ୍ପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ୍ ହୋଇଯାଇଛି।
ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ରେଳବାଇ ଅଧିକାରୀ, ଏନଡିଆର ଏଫ, ଏସଡିଆର ଏଫ, ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥିଲା । ଟର୍ଚ୍ଚ ଲାଇଟ୍ ମାଧ୍ୟମରେ ବଗିରେ ଫସିଥିବା ଲୋକଙ୍କୁ ଦେଖ୍ ବାହାର କରାଯାଇଥିଲା ।
ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି। ଏହି ସୁପରଫାଷ୍ଟ ଟ୍ରେନ୍ଟି ଦିଲ୍ଲୀରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଉକ୍ତ ମାର୍ଗରେ ସମସ୍ତ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।..