ଜଳ,ସ୍ଥଳ ଓ ଆକାଶରୁ କେମିତି ହମାସ କରିଥିଲା ହମଲା ?
ତେଲ ଅବିବ: ଶନିବାର ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରିଛି ହମାସ । ଗତ ଦଶନ୍ଧି ମଧ୍ୟରେ ଏହା ହେଉଛି ଛାତି ଥରାଇବା ଦେବାଭଳି ଆତଙ୍କବାଦୀ ଆକ୍ରମଣ । କେବଳ ସ୍ଥଳ ଭାଗ ନୁହେଁ ବରଂ କୌଣସି ମଧ୍ୟ ସୀମାକୁ ଛାଡ଼ିନାହିଁ ଏହି ଆତଙ୍କବାଦୀ ସଙ୍ଗଠନ । ଜଳ, ସ୍ଥଳ ଏବଂ ଆକାଶ ପଥକୁ ବ୍ୟବହାର କରି ଆକ୍ରମଣ କରିଛି ହମାସ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବରଂ ବର୍ଷ ବର୍ଷର ପରିକଳ୍ପିତ ଯୋଜନା ସହିତ ଆକ୍ରମଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଆକ୍ରମଣରେ ଇସ୍ରାଏଲର ଦୁର୍ବଳ ଡିଫେନ୍ସ ସିଷ୍ଟମ କଥା ପଦାରେ ପଡ଼ିଛି । । ଇସ୍ରାଏଲର ଡିଫେନ୍ସ ସିଷ୍ଟମକୁ ନେଇ ଏବେ ସବୁଠି ଚର୍ଚ୍ଚା । କେମିତି ସଫଳତାର ରୂପ ନେଲା ହମାସର ଷଡ଼ଯନ୍ତ୍ର ? କେମିତି ଆତଙ୍କାବଦୀ ତାଙ୍କ ଯୋଜନକୁ ସଫଳ କରିବାରେ ସକ୍ଷମ ହେଲେ ? କେମିତି ଇସ୍ରାଏଲ ଏତେ ବଡ଼ ଆକ୍ରମଣ ବିଷୟରେ ସମ୍ୟକ ଧାରଣା ମଧ୍ୟ ପାଇଲାନି । ଏହା ଏବେ ସମସ୍ତଙ୍କ ବୁଝିବା ବାହାରେ । ରିପୋର୍ଟ କହୁଛି, ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ ଏହି ବିନାଶକାରୀ ଆକ୍ରମଣକୁ ସଫଳ କରିବା ପାଇଁ ହଜାରେ ଜଣଙ୍କୁ ନେଇ ଏକ ସେନା ଗଠନ କରିଥିଲା । ଏମାନଙ୍କୁ ସ୍ପେଶାଲ ୟୁନିଟ୍ସରେ ନିୟୋଜିତ କରାଯାଇଥିଲା । ତେବେ ଇସ୍ରାଏଲ ଏବଂ ପାଲେଷ୍ଟାନ ଯୁଦ୍ଧରେ ଏପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।
ଏ ଯୋଜନା ମାସେ କିମ୍ବା ଦୁଇମାସର ନୁହେଁ । ଗତ ୨୦୨୧ରେ ହୋଇଥିବା ଯୁଦ୍ଧ ପରଠାରୁ ଗାଜାରେ ଏହି ଆତଙ୍କାବାଦୀମାନେ ପ୍ରଶିକ୍ଷଣ ନେଉଥିଲେ । ଏମାନେ ଏକ ନକଲି ଇସ୍ରାଏଲ ବସ୍ତି ମଧ୍ୟ ନିର୍ମାଣ କରିଥିଲେ । ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ କୁହାଯାଉଛିଯେ କେତେକ ହମାସ ନେତାଙ୍କ ନିକଟରେ ଏହା ବାବଦରେ ପୂର୍ବରୁ କୌଣସି ମଧ୍ୟ ସୂଚନା ନଥିଲା । ଅନ୍ୟପଟେ ହମାସ ପ୍ରଥମେ କହିଥିଲାଯେ ପ୍ରାରମ୍ଭରେ ସେ ୩ ହଜାର ରକେଟ୍ ମାଡ଼ କରିଥିଲା । କିନ୍ତୁ ଇସ୍ରାଏଲ ସେନାର କହିବା ହେଉଛି ହମାସ ପ୍ରଥମେ ୨ ହଜାର ୫ ଶହ ରକେଟ୍ ମାଡ଼ କରିଥିଲା । ଲୋକଙ୍କୁ ଡରାଇବା ଏବଂ ଭ୍ରମିତ କରିବା ଥିଲା ଏହି ରକେଟ୍ ମାଡ଼ର ଲକ୍ଷ୍ୟ । କେବଳ ସେତିକି ନୁହେଁ ବରଂ ଗାଜା ନିକଟସ୍ଥ ମଜବୁତ ବାଡ଼କୁ ଭାଙ୍ଗିବା ଏବଂ ଅପରେସନକୁ ପରିଣାମ ଦେବା ଥିଲା ଏମାନଙ୍କ ଲକ୍ଷ୍ୟ ।
ଇସ୍ରାଏଲରେ ପହଞ୍ଚିବାପାଇଁ ଆତଙ୍କବାଦୀଙ୍କ ପାଇଁ ଆକାଶ ମାର୍ଗରେ ରାସ୍ତା ସାଜିଥିଲା ପାରାଗ୍ଲାଇଡର । ସୀମାରେ ପହଞ୍ଚିବାପାଇଁ ଏହାଠାରୁ ଭଲ ରାସ୍ତା ଏମାନଙ୍କ ନିକଟରେ ଆଉ କିଛି ନଥିଲା । ଓ୍ୱାନ୍ ପର୍ସନ ପାରାଗ୍ଲାଇଡରକୁ ମଧ୍ୟ ବ୍ୟବହାର କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ବାକି ଆତଙ୍କବାଦୀ ଟୁ ପର୍ସନ ପାରାଗ୍ଲାଇଡର ଦ୍ୱାରା ସୀମା ପାର୍ ହୋଇଥିଲେ ଆଉ ହାତରେ ଥିଲା ପୁଳା ପୁଳା ମାରାତ୍ମକ ଅସ୍ତ୍ର ଶସ୍ତ୍ର । ଫାଇଟର ଜେଟ୍ସ ମଧ୍ୟ ଭିଡ଼ିଓରେ ନଜର ଆସିଛି ।
ଏଲିଟ କମାଣ୍ଡୋ ଗ୍ରାଉଣ୍ଡ ୟୁନିଟ୍ :
ଏହା ୪ ଶହ ଏଲିଟ କମାଣ୍ଡୋଙ୍କ ଗ୍ରୁପ୍ । ଯାହାର ଲକ୍ଷ୍ୟ ବିସ୍ଫୋଟକ ସାହାଯ୍ୟରେ ଗାଜାର ସୀମାକୁ ଭାଙ୍ଗି ଅନୁପ୍ରବେଶ କରିବା । କିଛି କ୍ରାସ୍ ଅନ୍ ମୋଟର ସାଇକେଲ ପରେ ବୁଲଡୋଜରର ମଧ୍ୟ ବ୍ୟବହାର କରାଯାଇଥିଲା । କମାଣ୍ଡୋ ପ୍ରଥମେ ଇସ୍ରାଏଲର ଫଷ୍ଟ ଡିଫେନ୍ସ ଲାଇନ ଉପରେ ଆକ୍ରମଣ କରିଥିଲେ । ସୈନିକଙ୍କ ଶୟନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରାଗଲା । ଏହାପରେ ଦକ୍ଷିଣ ଇସ୍ରାଏଲକୁ ମଧ୍ୟ କବଜା କରାଗଲା । ସୀମା ଉପରେ କଡ଼ା ନଜର ରଖିବା ପାଇଁ ହମାସ ଡ୍ରୋନ୍ ମଧ୍ୟ ବ୍ୟବହାର କରିଛି ।
ହମାସର ଇଣ୍ଟଲିଜେନ୍ସ ୟୁନିଟ୍
ଇସ୍ରାଏଲ ସୈନିକଙ୍କ ସ୍ଥିତି ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ହମାସ ତା’ର ଇଣ୍ଟଲିଜେନ୍ସ ୟୁନିଟକୁ ବ୍ୟବହାର କରିଥିଲା । କିନ୍ତୁ ଏହି ୟୁନିଟ୍ ବାବଦରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରି ନାହିଁ ।