ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ପକାଇ ୨ ବିଜେପି ବିଧାୟକ ନିଲମ୍ବିତ
ଭୁବନେଶ୍ୱର : ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ଗୃହ କାର୍ଯ୍ୟ ଚାଲୁଥିବା ବେଳେ ଦୁଇ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଫୋପାଡିଥିଲେ ଡ଼ାଲି । ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମ ଉପରକୁ ଫିଙ୍ଗିଥିଲେ । ଏହାପରେ ଗୃହ ମଧ୍ୟଭାଗରେ ବିଜେପି ବିଧାୟକ ହୋହଲ୍ଲା କରିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆସିଥିଲା । ଆଉ ଏହି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଏହିପରି ଆଚରଣକୁ ନେଇ ବିଧାନସଭାରୁ ଦୁଇ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ଦୁଇଜଣ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ନିଲମ୍ବିତ । ଏଭଳି ଘଟଣାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି କାରଣ ଗୋଟିଏ ପଟେ ଶାସକଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ବାଚସ୍ପତିଙ୍କୁ ସ୍ଥାନଦେଇ ଇତିହାସ ଲେଖୁଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେପି ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି ।
ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବାରମ୍ବାର ଗୃହକୁ ଚଳେଇ ଦେଉନାହାନ୍ତି ବିଜେପି ବିଧାୟକ କାରଣ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।