ଡିଏମଏଫ କାର୍ଯ୍ୟକାରିତାର ସମୀକ୍ଷା
ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍ଏଫ୍)ର କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ ଓ ସମୀକ୍ଷା ବୈଠକ ରାଜ୍ୟସ୍ତରୀୟ କମିଟି ଦ୍ୱାରା ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡିଏମ୍ଏଫ୍ ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଂଚଳର ଲୋକେ ଅଧିକ ଉପକୃତ ହେବେ, ମୁଖ୍ୟ ଶାସନ ସଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ପାନୀୟଜଳ, ଅଙ୍ଗନୱାଡିକେନ୍ଦ୍ର, ଜୀବିକାର୍ଜନ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆଦିଗୁଡ଼ିକ ଉପରେ ଗୁରୁତ୍ୱ ଦେଇଛନ୍ତି । ଡିଏମଏଫ୍ ପାଣ୍ଠିରେ ସଂପୃକ୍ତ ଅଂଚଳରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ସଡ଼କଗୁଡିକୁ ଭଲ ଭାବରେ କରାଯାଇପାରିବ, ସେ ସଂପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ଏବଂ “ମା ଗୃହ” ପ୍ରକଳ୍ପ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ପାଣ୍ଠି ପ୍ରଦାନ ଓ ଖର୍ଚ୍ଚ ସଂବନ୍ଧୀୟ ତଥ୍ୟ ଓ ପ୍ରକଳ୍ପ ପରିଚାଳନା ତଥ୍ୟକୁ ସଠିକ ରଖି ଯୋଜନା ଅନୁମୋଦନ ମୁତାବକ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଜଳସେଚନ ଉତ୍ସର ସୁବିଧା ନିଆଯାଇ ସଂପୃକ୍ତ ଅଂଚଳରେ ଜଳସେଚନ ସୁବିଧା ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି । ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦିରେ ପ୍ରମୁଖ ଡିଏମ୍ଏଫ୍ ଜିଲ୍ଲାଗୁଡିକୁ ଓଏଏସ୍ ଏବଂ ଓଡ଼ିଶା ଅର୍ଥସେବା ବା ଓଟିଏସ୍ରୁ ଅଧିକାରୀମାନେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ସଚିବ ଓ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଆଗାମୀ ସେପ୍ଟେମ୍ବର ୨ୟ ସପ୍ତାହରେ ଡିଏମ୍ଏଫ୍ ଏବଂ ଓମ୍ବାଡସି ଅଂଚଳର ବିକାଶ ପାଇଁ ବ୍ୟାପକ ଯୋଜନା ସଂପର୍କରେ ସ୍ୱତନ୍ତ୍ର ବୈଠକରେ ଆଲୋଚନା କରିବାକୁ ସେ କହିଥିଲେ । ଜିଲ୍ଲାଗୁଡ଼ିକର ଡିଏମ୍ସ୍ ପାଣ୍ଠି ଉପଯୋଗର ଅଡିଟ୍ ରିପୋର୍ଟ ଓ ବାର୍ଷିକ ରିପୋର୍ଟ ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା ।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।