ଟମାଟୋ ବିକି ମାସକରେ କୋଟିଏ ଟଙ୍କା ରୋଜଗାର କଲେ ଚାଷୀ
ହାଇଦ୍ରାବାଦ: ଗୋଟିଏ ପଟେ ଟମାଟୋର ଚଢା ଦର ଗ୍ରାହକଙ୍କ ପକେଟ୍ ଖାଲି କରିଦେଉଥିବା ବେଳେ ଆଉ ଗୋଟେ ପଟେ ଚଢାଦରରେ ଟମାଟୋ ବିକି ଚାଷୀ ମାଲାମାଲ୍ । ସତରେ ଚାଷୀଙ୍କ ପାଇଁ ଟମାଟୋ ଏବେ ସୁନା ସାବ୍ୟସ୍ତ ହୋଇଛି । ତେଲାଙ୍ଗାନା ମେଡକ ଜିଲ୍ଲାର ଜଣେ ଚାଷୀଙ୍କ ଭାଗ୍ୟ ଟମାଟୋ ବଦଳାଇ ଦେଇଛି । କିଛି ଦିନ ମଧ୍ୟରେ ଟମାଟୋ ବିକି ଚାଷୀ ବି. ମହିପାଲ ରେଡ୍ଡୀ କୋଟିପତି ସାଜିଛନ୍ତି । ମାତ୍ର ଏକ ମାସ ମଧ୍ୟରେ ଏକ କୋଟି ୮ ହଜାର ଟଙ୍କା ରୋଜଗାର କରିଛନ୍ତି ତେଲାଙ୍ଗାନା ଚାଷୀ ।
ପାଠପଢାରେ ଡୋରି ବାନ୍ଧିବା ପରେ ଚାଷବାସ କରିବାକୁ ମନସ୍ଥ କରିଥିଲେ ମହିପାଲ । ଧାନ ଚାଷ ଆରମ୍ଭ କରିଥିବା ମହିପାଳଙ୍କୁ ସେତେବେଳେ ସେତିକି ଲାଭ ମିଳିନଥିଲା । ଏହାପରେ ଟମାଟୋ ଚାଷ ମହିପାଲଙ୍କ ଜୀବନରେ ବରଦାନ ସାଜିଥିଲା ।
୧୫ ଜୁନରୁ ବର୍ତ୍ତମାନ ସୁଦ୍ଧା ମାତ୍ର ଏକ ମାସ ମଧ୍ୟରେ ଟମାଟୋ ବିକି ସେ କୋଟିପତି ହୋଇପାରିଛନ୍ତି । କୋଡିପଲୀ ଗାଁର ୪୦ ବର୍ଷୀୟ ଏହି ଚାଷୀ ଜଣକ ୪୦ ଏକର ଜମିରେ ୪ ବର୍ଷ ପୂର୍ବେ ପରିବା ଚାଷ ଆରମ୍ଭ କରିଥିଲେ ।ବଳକା ୬୦ ଏକରରେ ସେ ଏବେ ବି ଧାନଚାଷ କରୁଛନ୍ତି । ପ୍ରଥମେ ତ ବର୍ଷା ପାଇଁ ଟମାଟୋ ଚାଷରେ ସେ ଅନେକ କ୍ଷତି ସହିଥିଲେ । ଏହାପରେ ପରିବା ଚାଷକୁ ବଞ୍ଚାଇବା ପାଇଁ ସେ ଜାଲର ବ୍ୟବବହାର କରିଥିଲେ । ଗତ ଏପ୍ରିଲ ୧୫ରେ ଆଠ ଏକର ଜମିରେ ଟମାଟୋ ଲଗାଇଥିଲେ । ଜୁନ ୧୫ ବେଳକୁ ସେ ଲଗାଇଥିବା ଟମାଟୋ ବିକ୍ରି କରିବା ଆରମ୍ଭ କରିଦେଲେ ।
ସେ ପାଖାପାଖି ୭ ହଜାର ପେଟି ଟମାଟୋ ବିକ୍ରି କରିଛନ୍ତି । ପ୍ରତ୍ୟେକ ପେଟିର ଓଜନ ୨୫ କିଲୋଗ୍ରାମରୁ ଅଧିକ ହେବ । ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ଟମାଟୋର ମୂଲ୍ୟ ହେବ । କାରଣ ଏବେ ବି ତାଙ୍କ ଜମିରେ ୪୦ ପ୍ରତିଶତ ଟମାଟୋ ରହିଛି ।