ବିଜେପି ବିଧାୟକଙ୍କ କଟାକ୍ଷ, ସରକାର ଚାହିଁଥିଲେ ମଣିପୁରରେ ହିଂସା ହୋଇ ନଥାନ୍ତା
ଇମ୍ଫାଲ: ମଣିପୁର ହିଂସାକୁ ରାଜ୍ୟ ଓ କେନ୍ଦ୍ର ସରକାର ଚାହିଁଥିଲେ ସମ୍ପୂର୍ଣ୍ଣ ଭାବେ ବର୍ଜନ କରାଯାଇ ପାରିଥାନ୍ତା । ମଣିପୁରର ଜଣେ ବିଜେପି ବିଧାୟକ ଏଭଳି ବୟାନ ଦେଇଛନ୍ତି । ହିଂସା ଆରମ୍ଭରୁ ସାମାନ୍ୟ ଘଟଣାକୁ ଜୋର ଦେଇ ବନ୍ଦ କରିବାର ଥିଲା । ହେଲେ ହିଂସାକାରୀ ପରୋକ୍ଷରେ ସରକାର ଓ ପ୍ରଶାସନର ପ୍ରୋତ୍ସାହନ ପାଇଲେ । ଯାହାକୁ ସେମାନେ ଦୁରୁପଯୋଗ କରି ସାରା ରାଜ୍ୟରେ ହିଂସାକୁ ଚରମସ୍ତରକୁ ନେଲେ ।
କୁକି ସମ୍ପ୍ରଦାୟ ଅଞ୍ଚଳରେ ସ୍ବତନ୍ତ୍ର ଭାବେ ପ୍ରଶାସନକୁ ଆଲର୍ଟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଚିଠି ଲେଖାଯାଇଥିଲା । ହେଲେ ସରକାରଙ୍କ ସମର୍ଥନରେ ମିତେଇ ସମ୍ପ୍ରଦାୟ ଏହା କରେଇବାକୁ ଦେଇନଥିଲେ । ବିଜେପି ସରକାର ମଧ୍ୟ ଏହାକୁ ଅଣଦେଖା କରିଥିଲେ । ଯାହାର ସ୍ଥିତି ଆଜି ଭୟଙ୍କର ହୋଇଛି । କୁକି ଓ ମିତେଇ ସମ୍ପ୍ରଦାୟ ପାଇଁ ସରକାରୀ ସ୍ତରରେ ପ୍ରଶାସନ ଭିନ୍ନ ଭିନ୍ନ କାର୍ଯ୍ୟଧାରା ପ୍ରସ୍ତୁତ କରିଥିଲେ ଏମିତି ସ୍ଥିତି ହୋଇନଥାନ୍ତା ବୋଲି ବିଜେପି ବିଧାୟକ ପାଓଲେଇନାଲ ହାଓକିପ୍ କହିଛନ୍ତି ।
ସେପଟେ ମଣିପୁର ଶାନ୍ତି ପଥରେ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି । ଗତ ୧୦ ଦିନ ଭିତରେ କୌଣସି ପ୍ରକାର ହତ୍ୟାକାଣ୍ଡ ହୋଇନାହିଁ । ହିଂସାକାରୀଙ୍କୁ ଗିରଫ କରାଯାଉଛି । ପୋଲିସ ସଜାଗ ରହିଛି ବୋଲି ସରକାର କହିଛନ୍ତି । କିନ୍ତୁ ବିରୋଧୀ ଏହାକୁ ମିଛ ବୋଲି କହିବା ସହ ହିଂସା ଏବେ ବି ଚରମସ୍ତରରେ ଅଛି ବୋଲି କହିଛନ୍ତି ।