ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ ଜିଦ୍ ମାନିଲା କଂଗ୍ରେସ, ଏବେ ବିରୋଧୀଦଳ ବୈଠକରେ ସାମିଲ ହେବେ କେଜରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍) ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସାମିଲ ହେବା ନେଇ ଘୋଷଣା କରିଛି । ଏହି ବୈଠକରେ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଦଳର ଅନ୍ୟ ବଡ଼ ନେତା ସାମିଲ ହେବେ । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ମିଳିବା ପରେ ଏହି ନିଷ୍ପତ୍ତି ନେଇଛି ଆପ୍ । ରବିବାର ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ପ୍ରେସ କନଫରେନ୍ସ କରି ଏହାର ସୂଚନା ଦେଇଛନ୍ତି ।

ରାଘବ ଚଢା କହିଛନ୍ତି ଯେ ଆମ ଆଦମୀ ପାର୍ଟି ବିରୋଧୀ ଦଳ ବୈଠକରେ ସାମିଲ ହେବ । ବୈଠକରେ ସାମିଲ ହେବାକୁ ଅରବିନ୍ଦ କେଜରିୱାଲ, ଭଗବନ୍ତ ମାନ ଏବଂ ସଞ୍ଜୟ ସିଂହ ଆସନ୍ତାକାଲି ବେଙ୍ଗାଲୁରୁ ଯିବେ । ଉଲ୍ଲେଖଯୋଗ୍ୟ ବେଙ୍ଗାଲୁରୁରେ ୧୭ ଏବଂ ୧୮ ଜୁଲାଇରେ ବିରୋଧୀ ଦଳମାନଙ୍କୁ ନେଇ ବୈଠକର ଆୟୋଜନ ହେବ । ଏଥିରେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏନଡିଏ ବିରୋଧରେ ବିରୋଧୀ ଦଳଙ୍କ ଏକତ୍ରିତତା ଉପରେ ନିଷ୍ପତ୍ତି ନିଆଯିବ ।

ତେବେ ଏହା ପୂର୍ବରୁ ପାଟନାରେ ହୋଇଥିବା ବୈଠକରେ ଆପ୍ ସ୍ପଷ୍ଟ ଭାବେ କହିଥିଲା ଯେ ସମସ୍ତ ବିରୋଧୀ ଦଳ ଅଧ୍ୟାଦେଶ ପ୍ରସଙ୍ଗରେ ଆମକୁ ସମର୍ଥନ ଦିଅନ୍ତୁ । ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଆପକୁ ସମର୍ଥନ ଦେବା ନେଇ ଘୋଷଣା କରିଥିବା ବେଳେ କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲା । ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଂଗ୍ରେସକୁ ଧମକ ଦେଇ କହିଥିଲେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଯଦି ତାଙ୍କୁ ସମର୍ଥନ ନକରେ ତେବେ ସେ ବିରୋଧୀ ଏକତା ଦଳ ବୈଠକକୁ ବହିଷ୍କାର କରିବେ ।

ବିରୋଧୀ ଏକତାରେ ଫାଟ ସୃଷ୍ଟି ହେବାର ଦେଖି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ କୁ ସମର୍ଥନ ଦେବା ନେଇ ଘୋଷଣା କରିଥିଲେ । ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଓ ଟ୍ରାନ୍ସଫର ମାମଲାରେ ଦିଲ୍ଲୀ ସରକାରଙ୍କ ଅଧିକାର ବିରୋଧରେ ଅଧ୍ୟାଦେଶ ଲାଗୁ କରିଥିଲା କେନ୍ଦ୍ରର ବିଜେପି ସରକାର । ରାଜ୍ୟସଭାରେ ଏହାକୁ ଆଇନ ହେବାରୁ ରୋକିବା ପାଇଁ ବିରୋଧୀଙ୍କ ସମର୍ଥନରେ ଲାଗିଛି ଆମ ଆଦମୀ ପାର୍ଟି ।