ମହାରାଷ୍ଟ୍ରରେ ଘନୀଭୂତ ରାଜନୈତିକ ସଙ୍କଟ, ଆଜି ମଧ୍ୟାହ୍ନରେ ବସିବ କ୍ୟାବିନେଟ ବୈଠକ
ମୁମ୍ବାଇ: ମହାରାଷ୍ଟ୍ରରେ ଫୁଲ୍ କନଫ୍ଯୁଜନ । ଘଡ଼ିକୁ ନେଇ ପ୍ରତି ଘଣ୍ଟାରେ ଘୋଡ଼ା ଛୁଟୁଛି । ଦୁଇଫାଳ ରାଷ୍ଟ୍ରବାଦୀ କଂଗ୍ରେସ ବା ଏନସିପି । ଗୋଟିଏ ଶରଦ ପାଓ୍ବାର ଗୋଷ୍ଠୀ ଆଉ ଗୋଟିଏ ଅଜିତ ପାଓ୍ବାର ଗୋଷ୍ଠୀ । କାହା ପାଖରେ ରହିବ ଦଳର ଚିହ୍ନ ଘଣ୍ଟା । ଏନେଇ ଲାଗି ରହିଛି ଛକାପଞ୍ଝା । ଅଜିତ ପାଓ୍ବାର ଗୋଷ୍ଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଶରଦ ପାଓ୍ବାର । ଏଥିପାଇଁ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସାଂସଦ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଏନସିପିରୁ ବିଦା କରିଛନ୍ତି ଶରଦ ।
ବିଦ୍ରୋହୀଙ୍କୁ ଫେରି ଆସିବାକୁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଶରଦଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ରବିବାର ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଏନସିପି ବିଧାୟକ ଶରଦଙ୍କ ଗୋଷ୍ଠୀକୁ ୟୁ ଟର୍ଣ୍ଣ କରିଛନ୍ତି । ସେପଟେ ଜୟନ୍ତ ପାଟିଲଙ୍କ ସ୍ଥାନରେ ସୁନିଲ ତଟକରେଙ୍କୁ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀ । ଏଥିସହ ବିଧାନସଭାରେ ଏନସିପିର ନେତୃତ୍ୱ ଅଜିତ ପାଓ୍ୱାର ନେବେ ବୋଲି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି । ଅଜିତଙ୍କ ଉପରେ ଦଳର ସବୁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନୂଆ ମେଣ୍ଟର ନାମ ମହାଜ୍ୟୁତି ବୋଲି ଘୋଷଣା କରିଛନ୍ତି ଅଜିତ ପାଓ୍ୱାର । ଅଜିତ ପାଓ୍ବାର କହିଛନ୍ତି ଆଇନ ନିଷ୍ପତ୍ତି ନେବ ଏନସିପି କାହାର । ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେବେ । ସେପଟେ ମହାରାଷ୍ଟ୍ରର ରାଜନୀତି ନେଇ ବିଜେପିକୁ ସବୁଆଡ଼ୁ ସମାଲୋଚନା କରାଯାଉଛି ।