ଧନତେରସରେ କାହିଁକି ବଢିଲାନି ସୁନା ବିକ୍ରି ?
1 min readମୁମ୍ବାଇ: ଖସୁଛି ସୁନାର ଚାହିଦା । ଭାରତରେ ଗତ ଜୁଲାଇରୁ ସେପ୍ଟେମ୍ବର ୩ ମାସ ମଧ୍ୟରେ ସୁନା ବିକ୍ରି କମିଛି । ସୁନାର ଚଢ଼ାଦର ଗ୍ରାହକଙ୍କୁ ନିରାଶ କରିଛି । ଧନତେରସ୍ ଭଳି ପର୍ବରେ ସୁନାର ଚାହିଦାପୂର୍ଣ୍ଣ ତ୍ରୈମାସିକରେ କିଣାବିକା କମିଛି । ଏଥିସହ ଏହି ୩ ମାସରେ ସୁନାରେ ନିବେଶ ମଧ୍ୟ କମିଛି । ତ୍ରୈମାସିକରେ ସୁନା ବିକ୍ରି ୩୨ ପ୍ରତିଶତ ହ୍ରାସ ପାଇ ୧୨୩.୯ ଟନକୁ ଖସିଥିବା ବେଳେ ନିବେଶ ୩୫ ପ୍ରତିଶତ ହ୍ରାସ ପାଇ ୨୨.୩ ଟନକୁ ଖସି ଆସିଛି ।
ଦି ୱାର୍ଲଡ ଗୋଲ୍ଡ କାଉନସିଲ୍ ତାର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ ରିପୋର୍ଟରେ ଏ ତଥ୍ୟ ପ୍ରକାଶ କରିଛି । ଭାରତୀୟ ଗ୍ରାହକ ସୁନା ବଦଳ କରି ସୁନା କିଣିବାକୁ ପସନ୍ଦ କରୁଛନ୍ତି । ବିକ୍ରି ହେଉଥିବା ସୁନାର ୫୦ରୁ ୬୦ ପ୍ରତିଶତ ଏହି ବର୍ଗରେ ଆସୁଛି । ଏକ୍ସଚେଞ୍ଜ ସୁନା ବିକ୍ରି ଏହି ୩ ମାସ ମଧ୍ୟରେ ୫୯ ପ୍ରତିଶତ ବୃଦ୍ଧି ପାଇ ୩୬.୫ ଟନରେ ପହଞ୍ଚିଛି । ତେବେ, ଘରୋଇ କ୍ଷେତ୍ରରେ ସୁନା ଯୋଗାଣ ୧୨୦ ଟନକୁ ବୃଦ୍ଧି ପାଇଛି । ୨୦୧୨ରେ ୧୧୮ ଟନ୍ ସୁନା ଯୋଗାଣ ରେକର୍ଡ କରିଥିଲା । ବର୍ଷ ଶେଷ ସୁଦ୍ଧା ଘରୋଇ କ୍ଷେତ୍ରରେ ସୁନାର ଯୋଗାଣ ଆହୁରି ବୃଦ୍ଧି ପାଇ ନୂଆ ରେକର୍ଡ କରିବ ।
ସୁନା ପ୍ରତି ଲୋକଙ୍କ ଡିମାଣ୍ଡ କମିବା ସତ୍ତ୍ୱେ ଚଳିତବର୍ଷ ୭୦୦ ଟନ୍ ସୁନା ବିକ୍ରି ହେବ ବୋଲି ଅନୁମାନ କରାଯାଇଛି । ଗତବର୍ଷ ୭୬୦ ଟନ୍ ସୁନା ବିକ୍ରି ହୋଇଥିଲା ।
୨୦୧୯ ବର୍ଷର ପ୍ରଥମ ୯ମାସରେ ସୁନା ଚାହିଦା କମିଛି । ଗତବର୍ଷ ଏହି ସମୟ ମଧ୍ୟରେ ୫୨୩.୯ ଟନ୍ ସୁନା ଦରକାର ହୋଇଥିବା ବେଳେ ଚଳିତବର୍ଷ ୫.୩ ପ୍ରତିଶତ ହ୍ରାସ ପାଇଁ ୪୯୩ ଟନକୁ ଖସି ଆସିଛି ।
ଏଥିସହ ଭାରତକୁ ସୁନା ଆମଦାନୀ ଖସିଛି । ଗତବର୍ଷ ଏହି ତିନିମାସରେ ୨୩୬.୯ ଟନ୍ ସୁନା ଆମଦାନୀ ହୋଇଥିବା ବେଳେ ଏହା ଚଳିତବର୍ଷ ୬୬ ପ୍ରତିଶତ ହ୍ରାସ ପାଇ ୮୦.୫ ଟନରେ ପହଞ୍ଚିଛି । ଏପରିକି ସୁନାର ତଳମୁହାଁ ଗ୍ରାଫ ଯୋଗୁଁ ଅଧିକାଂଶ ଭାରତୀୟ ସୁନା ରିଫାଇନାରୀମାନେ ପ୍ଲାଣ୍ଟରେ ତାଲା ପକାଇ ଦେଇଛନ୍ତି । ଏମିତିକି ଅନେକ ଖାସ ପର୍ବରେ ୧୦ ଗ୍ରାମ ସୁନାରେ ୧୫ ଡଲାର ଡିସକାଉଣ୍ଟ ଅଫର ଦିଆଯାଇଥିବା ଜଣାପଡ଼ିଛି । ')}