spot_img

Latest Posts

ବିଶ୍ୱରେ ଭୋକର ହଟସ୍ପଟ ବନିଲା ପାକିସ୍ତାନ

ଲାହୋର: ପାକିସ୍ତାନରେ ଘୋର ବିପନ୍ନ ଖାଦ୍ୟ ନିରାପତ୍ତା। ଆସନ୍ତା ମାସଗୁଡିକରେ ଏହି ସଂକଟ ଅଧିକ ତୀବ୍ର ହେବା ଆଶଙ୍କା ଦେଖାଦେଲାଣି। ଦେଶରେ ରାଜନୈତିକ ଓ ଅର୍ଥନୈତିକ ସଂକଟ ଘନୀଭୂତ ହେଉଥିବାବେଳେ ଖାଦ୍ୟ ନିରାପତ୍ତା ଅଧିକ ବିପନ୍ନ ହେବା ଆଶଙ୍କା କରାଯାଉଛି । ୨୨ଟି ରାଷ୍ଟ୍ରର ୮୧ଟି କ୍ଷୁଧାଜନିତ ହଟସ୍ପଟ ମଧ୍ୟରେ ପାକିସ୍ତାନ ଅନ୍ୟତମ।

ଆସନ୍ତା ଜୁନରୁ ନଭେମ୍ବର ମଧ୍ୟରେ ଦେଶରେ ସଙ୍କଟ ଅତି ଉତ୍କଟ ହେବ ବୋଲି ଜାତିସଂଘ ଦର୍ଶାଇଛି। ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ଏବଂ ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ପାକିସ୍ତାନରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହୋଇଛି । ବୈଦେଶିକ ଋଣ ପରିମାଣ ପହଞ୍ଚିଲାଣି ୭୭ ଦଶମିକ ୫ ବିଲିୟନ ଡଲାରରେ। ଋଣ ବୋଝ କାରଣରୁ ପାକିସ୍ତାନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବି ଋଣ ଦେବାକୁ ଅଗ୍ରାହ୍ୟ କରିଛି। ବୈଦେଶିକ ରିଜର୍ଭ ପରିମାଣ ଅଭାବରୁ ବି ଅନ୍ୟ ରାଷ୍ଟ୍ରର ସହାୟତା ସମ୍ଭବ ହୋଇପାରୁନାହିଁ।

ସେପଟେ ପାକିସ୍ତାନ ମୁଦ୍ରାର ଅବମୂଲ୍ୟାୟନ ଘଟିଥିବାବେଳେ ଖାଦ୍ୟପଦାର୍ଥ ଦରବୃଦ୍ଧି ପାକିସ୍ତାନକୁ ଅଧିକ ସଙ୍କଟ ଘେରକୁ ଠେଲିଦେଇଛି। ଗତବର୍ଷ ପ୍ରଳୟଙ୍କରୀ ବନ୍ୟା କାରଣରୁ ବି ପାକିସ୍ତାନ ଘୋର କ୍ଷତିର ସମ୍ମୁଖୀନ ହୋଇଥିଲା । ଲୋକଙ୍କ କ୍ରୟ ଶକ୍ତି ହ୍ରାସ ପାଇଥିବାବେଳେ ଖାଦ୍ୟ ନିରାପତ୍ତା ଓ ପୁଷ୍ଟିହୀନତା ତୀବ୍ର ଆକାର ଧାରଣ କରିଛି । ପାକିସ୍ତାନ ପରି ଆଫଗାନିସ୍ତାନ, ନାଇଜେରିଆ, ସୋମାଲିଆ, ସାଉଥ ସୁଦାନ, ଇଥିଓପିଆ, କେନିଆ, କଙ୍ଗୋ, ସିରିଆ ଓ ୟେମେନ ଆଦି ରାଷ୍ଟ୍ର ମଧ୍ୟ ଏହି ଧରଣର ସଂକଟର ଶିକାର ହେବେ ବୋଲି ଚେତାବନୀ ଦେଇଛି ଜାତିସଂଘ ।

Latest Posts

Don't Miss