ଗାଁ ରାସ୍ତା କାମ କରିବ ଗ୍ରାମ୍ୟ ଉନ୍ନୟନ ବିଭାଗ, ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ରାସ୍ତା

ଭୁବନେଶ୍ବର: ଏଣିକି ପଞ୍ଚାୟତ ଅଧୀନରେ ଥିବା ରାସ୍ତାକୁ ହାତକୁ ନେବ ଗ୍ରାମ୍ୟ ଉନ୍ନୟନ ବିଭାଗ । ଏବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୫ ହଜାର କିମି ରାସ୍ତା ନିର୍ମାଣ କରାଯିବ । ୨୦୧୯ ନିର୍ବାଚନୀ ଇସ୍ତାହାରରେ ୩ ହଜାର ୭୩୧ କିମି ରାସ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୬ ହଜାର ୨୪ କିମି ରାସ୍ତା ନିର୍ମାଣ ହୋଇଛି । ଆଗକୁ ୬ ହଜାର କୋଟି ଟଙ୍କାରେ ୧୫ଶହ ବିଜୁସେତୁ ନିର୍ମାଣ ଲକ୍ଷ୍ୟ ଅଛି । ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସମୀକ୍ଷା କରିବା ପରେ ରାଜ୍ୟବାସୀଙ୍କୁ ବିଭାଗ ଏପରି ହିସାବ ଦେଇଛି ।

୨୦୨୪ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ହେବ ରାସ୍ତା ସଂଯୋଗ । ଟାର୍ଗେଟ୍‌ ଅନୁସାରେ ହେବ ଉଚ୍ଚମାନର କାମ । ପୂରଣ ହେବ ଶତ ପ୍ରତିଶତ ନିର୍ବାଚନୀ ପ୍ରତିଶ୍ରୁତି । ବଢ଼ିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବ । ପୂର୍ବରୁ ପଞ୍ଚାୟତର ୫ କିମି ରାସ୍ତାରୁ କମ୍ ହେଲେ ବିଭାଗ କାମ କରୁ ନଥିଲା । ଏବେ ୩ କିମି ହେଲେ ବି ନିର୍ମାଣ କରାଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଆଦୃତ ହେଉଥିବାରୁ ଏବେ ବିଭାଗ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ରାସ୍ତା ନିର୍ମାଣ କରୁଛି । ଚଳିତବର୍ଷ ୬ ହଜାର କିମି ରାସ୍ତା ନିର୍ମାଣ କରି ଅପହଞ୍ଚ ଗାଁକୁ ସଂଯୋଗ ହୋଇଛି ସବୁଦିନିଆ ରାସ୍ତା । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା  ପ୍ରଶସ୍ତିକରଣ ହେଉଛି । ପୂର୍ବରୁ ରାସ୍ତାର ଓସାର ସାଢ଼େ ୩ ମିଟର ଥିବା ବେଳେ ଗତ ଉତ୍କଳ ଦିବସରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ସାଢ଼େ ୫ ମିଟର ଓସାର ରାସ୍ତା ନିର୍ମାଣ ଚାଲିଛି । ଯାହାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବହୁ ପଡ଼ା ଗାଁକୁ ରାସ୍ତା ସଂଯୋଗ ହୋଇପାରୁ ନଥିବା ବେଳେ ଚଳିତବର୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପଡ଼ା ଗାଁକୁ ରାସ୍ତା ସଂଯୋଗ କରାଯାଉଛି ।

୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡରେ ମନ୍ତ୍ରୀ ଏବଂ ସଚିବ ଓଡ଼ିଶାବାସୀଙ୍କ ପାଖରେ ତଥ୍ୟ ରଖିଛନ୍ତି । ବିଜୁସେତୁ ଯୋଜନାରେ ୭୫୦ଟି ସେତୁ ନିର୍ମାଣ ଲକ୍ଷ୍ୟ ଥିବାବେଳେ ୬୭୯ଟି ସେତୁ ନିର୍ମାଣ ସରିଛି । ୨୦୨୪ ସୁଦ୍ଧା ୯୦୦ଟି ସେତୁ ନିର୍ମାଣ ସରିବ । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ଅନ୍ୟ ରାଜ୍ୟ ଯୋଜନାରେ ୩ ହଜାର କିମି ସଡ଼କ ନିର୍ମାଣ ପ୍ରସ୍ତାବ ଥିବା ବେଳେ ୬୨୪୭ କିମି ରାସ୍ତା ନିର୍ମାଣ କରଛି ବିଭାଗ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଧାର୍ଯ୍ୟ ୪୩ ହଜାର କିମି ମଧ୍ୟରୁ ୩୩ ହଜାର ୩୨୬ କିମି ରାସ୍ତାର ଉନ୍ନତି ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ରାଜସ୍ବ ବିଭାଗର ୧୬୪ଟି କୋଠା ନିର୍ମାଣ ହୋଇଛି ।

୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ନଥିବା ରାସ୍ତା ଓ ଗମନାଗମନକୁ ସୁନିଶ୍ଚିତ କରିବା ପାଇଁ ୫୦ ହଜାର କିମି ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଚେଷ୍ଟା କରୁଛି । ୧୮ ହଜାର ୧୬୧ଟି ଗ୍ରାମଞ୍ଚଳକୁ ସବୁଦିନିଆ ରାସ୍ତା ନିର୍ମାଣ କରିଛି ବିଭାଗ । ସର୍ବାଧିକ ଲମ୍ବା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜାତୀୟସ୍ତରରେ ପୁରସ୍କୃତ ହୋଇଛି ।