ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ୯ ହଜାର ୪୧ ଜଣ ବୁଣାକାର ଲାଭ ପାଇଛନ୍ତି । ୩ଟି ବୃହତ କମ୍ପାନୀ ରାଜ୍ୟରେ ଏକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ୮ ହଜାର ୧୬୪ ଜଣ ନିଯୁକ୍ତି ପାଇଛନ୍ତି । ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ବୁଣାକାରଙ୍କୁ ୫୦ ହଜାର ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କୁ ଋଣ ଯୋଗାଇ ଦିଆଯାଇଛି । ୧୪୪୭ ଜଣଙ୍କୁ ବୁଣାକାର ସହାୟତା ପ୍ରଦାନ କରାଯାଇଛି । ୨୦୦୦ ମସିହାଠାରୁ ୫୭ ହଜାର ୭୨୭ ଜଣ ହସ୍ତଶିଳ୍ପ କାରିଗରଙ୍କୁ ବିଭିନ୍ନ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ଉତ୍ପାଦନ କେନ୍ଦ୍ର ପାଇଁ ୧୩ ହଜାର ୬୧୮ ହସ୍ତଶିଳ୍ପୀ ଲାଭାନ୍ବିତ ହୋଇଛନ୍ତି । ବାସଗୃହ ନିର୍ମାଣ ପାଇଁ କାରିଗରଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଉଛି ।
ଓଡ଼ିଶା ହସ୍ତ ଶିଳ୍ପ ସଂଗ୍ରହାଲୟ କଳାଭୂମିରେ ୧୫ ଶହ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮ ହଜାର ୮୬୨ ଜଣ ପର୍ଯ୍ୟଟକ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି । ୯ଟି ଉତ୍ପାଦରେ ଜିଆଇ ଟ୍ୟାଗ ଲାଗିଥିବା ବେଳେ ଆହୁରି ଅଧିକ ଉତ୍ପାଦକୁ କିଭଳି ଜିଆଇ ଟ୍ୟାଗ ହାସଲ କରାଯିବ ସେ ନେଇ ପ୍ରୟାସ ଚାଲିଛି । ବ୍ରହ୍ମପୁର ପାଟ, ବୋମକେଇ ବସ୍ତ୍ରର ଚାହିଦା ରହିଛି ଓ ବୟନିକା ମାଧ୍ୟମରେ ବୁଣାକାରଙ୍କ ଠାରୁ ସଂଗ୍ରହ କରାଯାଉଛି । ସେହିଭଳି ପାରଳାଖେମୁଣ୍ଡିର ସିଙ୍ଘ କାମକୁ କିଭଳି ଜିଆଇ ଟ୍ୟାଗ ମିଳିବ ଓ ଏହାର ଆଧୁନିକୀକରଣ କରାଯାଇପାରିବ ସେଦିଗରେ ମଧ୍ୟ ଉଦ୍ୟମ କରାଯିବ ବୋଲି ସୂଚନା ଦେଇଛନ୍ତି ସଚିବ ଅରବିନ୍ଦ ପାଢ଼ୀ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ବିଭାଗୀୟ ମନ୍ତ୍ରୀ ରିତା ସାହୁ।