ଆଗକୁ ଅସହ୍ୟ ହେବ ତାତି , ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା । ଅନୁଭୂତ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ସ୍ବଭାବିକଠୁ ୨ରୁ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ହେବ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ । କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ସତର୍କତା ଜାରି ହୋଇଛି। ଦୁଇ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ଉପକୂଳ ତଥା ଉତ୍ତର ପୂର୍ବ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ସାମାନ୍ୟ ବର୍ଷା ହୋଇପାରେ।
ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି ଆଲର୍ଟରେ ରହିଛି ପ୍ରଶାସନ। ଦୈନିକ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯିବା ସହ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ପାନୀୟ ଜଳ ବିଭାଗକୁ ଆଲର୍ଟ ରଖାଯାଇଛି । ପିଏଚସି ଓ ସିଏଚସି ଗୁଡ଼ିକରେ ଏସି ରୁମ ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ଓ ଓଆରଏସ ମହଜୁଦ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ ।