ଆରବରେ ଉପେକ୍ଷିତ ହୋଇଥିଲା, ଭାରତରେ କୋଳେଇନେଲା…
1 min readଯେଉଁ ବୟସରେ ମାଆର ପଣତ ସାହାରା ପାଲଟେ ସେହି ବୟସରେ ମା ଛାଡ଼ି ବିଦେଶ ଚାଲିଗଲେ । ବାପା ମାଆଙ୍କ ଝଗଡ଼ା ତାଙ୍କୁ ଅଲଗା କରି ଦେଇଥିଲା । ମାଆ ବୋଲି କିଛି ଜାଣିବା ପୁର୍ବରୁ ମାଆର ସ୍ନେହ ଟିକକ ପାଇନଥିଲେ ସେ । ଏତେ ଦୂରକୁ ଛାଡ଼ି ଚାଲିଗଲେ ଯେ ଖୋଜିବାକୁ ଲାଗିଗଲା ୩୬ ବର୍ଷ । ଏ କାହାଣୀ ହେଉଛି ଜଣେ ମା ଛେଉଣ୍ଡ ଝିଅର । ଯାହାଙ୍କୁ ନିଜ ମାଆକୁ ଖୋଜି ପାଇବା ପାଇଁ ଲାଗିଗଲା ୩୬ ବର୍ଷ । ସେ ହେଉଛନ୍ତି ମାରିୟମ ଅବଦୁଲ୍ ରାହମାନ ଅଲ୍ ଶେହି ଯିଏ ଆରବର ରାସ ଖୈମାହ ସହରରେ ରହି ବଡ଼ ହୋଇଛନ୍ତି ।
ତାଙ୍କ କହିବା ଅନୁସାରେ, ଯେତେବେଳେ ମତେ ମାତ୍ର ୧ ବର୍ଷ ହୋଇଥିଲା ସେତେବେଳେ ମାଆ ମତେ ଛାଡି ଚାଲିଯାଇଥିଲେ । କୌଣସି କାରଣରୁ ମାଆ ବାପାଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଥିଲେ । ମାଆ ମତେ ଏକା ବାପାଙ୍କ ପାଖରେ ଛାଡ଼ି ଚାଲିଯାଇଥିଲେ । କିନ୍ତୁ ମାଆର ଅନୁପସ୍ଥିତି କେବେ ଅନୁଭବ ହେବାକୁ ଦେଲେନି ବାପା । ମୋର ସମସ୍ତ ଇଚ୍ଛା ମୋ ବାପା ପୁରା କରିଛନ୍ତି ବୋଲି କୁହନ୍ତି ମାରିୟମ । ମାଆଙ୍କ ବିଷୟରେ ମାରିୟମ ବାପାଙ୍କୁ ପଚାରିବାରୁ ମା ଭାରତକୁ ଚାଲିଯାଇଛନ୍ତି ବୋଲି କହିଥିଲେ । କିଛି ବର୍ଷ ପରେ ବାପା ଚାଲିଗଲା ପରେ ମାରିୟମ ବହୁତ ଏକା ହୋଇପଡିଥିଲେ । ଯାହାପରେ ସେ ତାଙ୍କ ମାଙ୍କୁ ଖୋଜିବାକୁ ମନସ୍ତ କରିଥିଲେ ।
ମିଡିଆ ଠାରୁ ଆରମ୍ଭ କରି ବିଜ୍ଞାପନ ସବୁଠି ମାଆଙ୍କ ଫଟୋ ଦେଇ ମାଙ୍କୁ ଖୋଜିବାକୁ ଲାଗିଲେ । ତାଙ୍କୁ ଦୁନିଆକୁ ଆଣିଥିବା ମାଆର ସନ୍ଧାନ ପାଇଁ ମାରିୟମ ଅନେକ ଭାରତୀୟ ସମ୍ବାଦପତ୍ରରେ ମାଆଙ୍କ ବିଜ୍ଞାପନ ଛପାଇଲେ । ବିଜ୍ଞାପନରେ ଭାରତରେ ରହୁଥିବା ନିଜ ମାଆଙ୍କ ବିଷୟରେ ଲେଖିଲେ ଏବଂ ସେ ତାଙ୍କୁ ଖୋଜୁଥିବାର ମଧ୍ୟ ଉଲ୍ଲେଖ କଲେ । ସେ ଲେଖିଛନ୍ତି ଯେ, ‘ଦୟାକରି ମୋ ମାଆଙ୍କୁ ମୋ ପାଖରେ ପହଁଞ୍ଚାଇବାରେ ସାହାଯ୍ୟ କରନ୍ତୁ’ ।
ଭାରତରେ ବିଜ୍ଞାପନକୁ ଦେଖି କିଛି ମହିଳା ମାରିୟମଙ୍କୁ ବହୁତ ସାହଯ୍ୟ କରିଛନ୍ତି । ଭାରତରେ ମାରିୟମଙ୍କ ମାଆଙ୍କୁ ଚିହ୍ନଟ କରି ତାଙ୍କୁ ପଠାଇବାପରେ ଦୀର୍ଘ ୩୬ ବର୍ଷ ପରେ ଯାଇ ଦୁହିଁଙ୍କର ଦେଖା ହୋଇଛି । ଏହି ସମୟରେ ଦୁହିଁଙ୍କର ଆଖି ଖୁସିରେ ଛଳଛଳ ହୋଇପଡିଥିଲା । ମାରିୟମ କେବଳ ନିଜ ମାଆଙ୍କୁ ପାଇଲେ ତା ନୁହେଁ ସେ ତାଙ୍କ ଭଉଣୀଙ୍କୁ ପାଇଲେ ଯାହାକୁ ସେ କେବେ ଦେଖି ନଥିଲେ । ତାଙ୍କ ମାଆ ଯେତେବେଳେ ଘର ଛାଡ଼ି ଆସିଥିଲେ ସେ ସେତେବେଳେ ଗର୍ଭବତୀ ଥିଲେ ।
')}