spot_img

Latest Posts

‘ରାଜନୈତିକ ଉଦ୍ଦେଶ୍ୟ ରଖି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତା’

ସମ୍ବଲପୁର: ସ୍ବାଭାବିକ ହେଉଛି ସମ୍ବଲପୁର । ସହରକୁ ଶାନ୍ତି ଫେରିଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବିଜେପି ନେତା। ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ଏହା ସମ୍ବଲପୁର ଓ ଓଡ଼ିଶାବାସୀଙ୍କୁ ଦୁଃଖ ଦେଉଛି ବୋଲି କହିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ।

ରାଜନୈତିକ ଭିତ୍ତିଭୂମି ଶୂନ୍ୟ ବିଜେପିର କିଛି ନେତା ଏଭଳି ଉଦ୍ୟମ କରୁଛନ୍ତି। ସମ୍ବଲପୁରବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ବିଜେପିର ଏକ ଟିମକୁ ସମ୍ବଲପୁର ପଠାଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସମ୍ବଲପୁର ଘଟଣାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ଅନେକ ଥର ଘଟିଛି।

ସେହି ରାଜ୍ୟମାନଙ୍କୁ ବିଜେପି କେନ୍ଦ୍ର ନେତୃତ୍ୱ କାହିଁକି ଟିମ୍ ପଠାଉନାହାନ୍ତି ବୋଲି ପ୍ରସନ୍ନ ପ୍ରଶ୍ନ କରିଛନ୍ତି। ୟୁପିର ଲଖିମପୁର ଖେରି, ହଥରାସ ଘଟଣା ମନେ ପକାଇ ଦେଇଛନ୍ତି ପ୍ରସନ୍ନ। ରାଜନୈତିକ ଅଭିସନ୍ଧି ରଖି ବିଜେପି ଟିମ୍ ପଠାଯାଉଛି। ରାଜଧର୍ମ ପାଳନ ନେଇ ବିଜେଡିକୁ ନୁହେଁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବାକୁ ପ୍ରସନ୍ନ କହିଛନ୍ତି।

ସମାଜର ଏକତା ଓ ଶୃଙ୍ଖଳାକୁ ବିଜେଡି ସବୁବେଳେ ଗୁରୁତ୍ୱ ଦେଇଛି। ଭୋଟ୍ ପାଇଁ ନୁହେଁ ସମାଜରେ ଏକତା ଚାହେଁ ବିଜେଡି। ସମ୍ବିଧାନ ଅନୁସାରେ ବିଜେଡି ସବୁବେଳେ କାମ କରେ। ପ୍ରତିନିଧି ଟିମ୍ ପଠାଇବା ବିଜେପିର ରାଜନୈତିକ ମନ୍ଦ ଉଦ୍ଦେଶ୍ୟ। ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଛି ବିଜେଡି।

୨୦୨୪ରେ ସମ୍ବଲପୁରରୁ ଲଢ଼ି ସଂସଦ ଯିବାକୁ ସଂପୃକ୍ତ ନେତା ଆଶାୟୀ। ସେଥିପାଇଁ ପ୍ରଚ୍ଛଦରେ ରହି ସେ ଏସବୁ କରାଉଛନ୍ତି। ସଂପୃକ୍ତ ନେତା ଢେଙ୍କାନାଳରେ ସ୍ଥିତି ଦୁର୍ବଳ ଥିବା ଜାଣି ସମ୍ବଲପୁର ଆଡେ ମୁହାଁଇଛନ୍ତି। ପୁଣି ସମ୍ବଲପୁରରେ କିଭଳି ଅଶାନ୍ତି ସୃଷ୍ଟି ହେବ ଏହା ତାଙ୍କର ଲକ୍ଷ୍ୟ ।

ସଂସଦ ଯିବାର ଉଚ୍ଚାକାଂକ୍ଷା ପୋଷଣ କରି ସେ ଏଭଳି କରୁଥିବା ବିଜେଡି କହିଛି। ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ପୂରଣ ଲାଗି ନିଜ ଦଳର ବରିଷ୍ଠ ନେତାଙ୍କ ଏଭଳି କାରନାମା ଦେଖି ରାଜ୍ୟ ବିଜେପିର ଯେଉଁ ନେତା ନିରବ ରହୁଛନ୍ତି ରାଜ୍ୟବାସୀ ସେମାନଙ୍କୁ କ୍ଷମା ଦେବେନାହିଁ। ସେମାନଙ୍କୁ ଉଚିତ୍ ଜବାବ ଦେବେ ବୋଲି ବିଜେଡି କହିଛି ।

Latest Posts

Don't Miss