ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ, ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯାଞ୍ଚ ହେବ ଓକିଲଙ୍କ ଡିଗ୍ରୀ । ଚିହ୍ନଟ ହେବେ ନକଲି ଓକିଲ । ଆଜି ଏ ସଂକ୍ରାନ୍ତରେ ଅଜୟ ଶଙ୍କର ଶ୍ରୀବାସ୍ତବଙ୍କ ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ । ଏଥିପାଇଁ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଏକ ୮ଜଣିଆ ଟିମ୍ ଗଠନ କରାଯାଇଛି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଚିସ ପିଏସ ନରସିଂହା ଓ ଜଷ୍ଟିସ ଜେ ପି ପରିଦିୱାଲା ମାମଲାର ଗୁରୁତ୍ବକୁ ବିଚାର କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦେଶର ସମସ୍ତ ରାଜ୍ୟର ବାର କାଉନସିଲ ଏହି ପ୍ରକ୍ରିୟାରେ ସମସ୍ତ ଓକିଲଙ୍କ ଆଇନ ଡିଗ୍ରୀ ଯାଞ୍ଚ କରିବେ । ଯାଞ୍ଚ ପ୍ରକ୍ରିୟା ସରିବା ପରେ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା କମିଟି ତାର ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ । ୮ଜଣିଆ କମିଟିରେ ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତାଙ୍କ ନେତୃତ୍ବରେ, ଜଷ୍ଟିସ ଅରୁଣ ଟଣ୍ଡନ, ଜଷ୍ଟିସ ରାଜେନ୍ଦ୍ର ମେନନ୍, ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ, ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ ପ୍ରମୁଖ ରହିଛନ୍ତି । କମିଟିକୁ ବାର କାଉନସିଲ ଅଫ୍ ଇଣ୍ଡିଆ ଅନ୍ୟ ୩ଜଣ ସଦସ୍ୟଙ୍କୁ ମନୋନୀତ କରିବେ ।

ଓକିଲ ମାନଙ୍କ ମୂଳ ଡିଗ୍ରୀ ସାର୍ଟିଫିକେଟ ସହ ଆଇନ ଡିଗ୍ରୀ ଓ ଅନ୍ୟାନ୍ୟ ଯୋଗ୍ୟତା ସାର୍ଟିଫିକେଟର ଯାଞ୍ଚ ହେବ । ଏଥିପାଇଁ ସାର୍ଟିଫିକେଟ ପ୍ରଦାନ କରିଥିବା ବୋର୍ଡ, ବିଶ୍ବବିଦ୍ୟାଳୟର ସହାୟତା ନେବ କମିଟି । ପୂର୍ବର ୨୦୧୫ ମସିହାରେ ପ୍ରଥମେ ଦେଶର ସମସ୍ତ ଓକିଲ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଦୁଇଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାଞ୍ଚ ପାଇଁ ବୋର୍ଡ ଓ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଧିକ ଅର୍ଥ ଦାବି କରୁଥିବାରୁ ପ୍ରକ୍ରିୟା ସ୍ଥଗିତ ରହିଥିଲା । ମାମଲାର ଶୁଣାଣି କରି ସେତେବେଳେ ଦୁଇଜଣିଆ ଖଣ୍ଡପୀଠ ଯାଞ୍ଚ ପାଇଁ ଅର୍ଥ ଛାଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ ବର୍ତ୍ତମାନ ୨୫ଲକ୍ଷ ୭୦ ହଜାର ଓକିଲ ବିଭିନ୍ନ ରାଜ୍ୟ ବାର କାଉନସିଲ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ।