ଭୁବନେଶ୍ୱର: ବିଶ୍ବାସରେ ବିଷ ଦେଲେ ୪୨୦ ସ୍ବର୍ଣ୍ଣଲତା । ମହିଳା ଏଜେଣ୍ଟ ଖାଇଗଲେ କୋଟିଏ ଟଙ୍କା । ରିମାଣ୍ଡରେ ଆଣି ଘାଣ୍ଟିବ କମିଶନରେଟ ପୋଲିସ । କ୍ରାଇମ ସିଣ୍ଡିକେଟର ଭାଗିଦାର ସ୍ବାମୀ ଓ ଶ୍ବଶୁର । ୧ ମାର୍ଚ୍ଚ ୨୦୨୩ । ଲିଙ୍ଗରାଜ ଥାନାକୁ ଆସି ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣ୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଡିପୋଜିଟ ପାଇଁ ନେଇ ଚଳୁ କରି ଦେଇଛନ୍ତି। ଲିଙ୍ଗରାଜ ଥାନା ପକ୍ଷରୁ ଘଟଣାର ତଦନ୍ତ କରିବା ବେଳେ ୪୨୦ ଏଜେଣ୍ଟ ଜଣଙ୍କ RD, FD କରିବାକୁ କହି ୯୮ ଜମାକାରୀଙ୍କ ୧୨୯ଟି ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଥିବା ଜାଣିବାକୁ ପାଇଥିଲା ପୋଲିସ। କେସ୍ ନମ୍ବର ୬୫ ଦଫା ୪୧୭, ୪୨୦, ୪୦୬, ୨୯୪, ୫୦୬ରେ ମହିଳା ପୋଷ୍ଟାଲ ଏଜେଣ୍ଟଙ୍କୁ ଗିରଫ କରିବା ସହ ୧୬୧ CRPCରେ ବୟାନ ରେକର୍ଡ କରାଯାଇଛି ।
ମ୍ୟୁନିସିପାଲ ହସ୍ପିଟାଲରେ ଆଟେନଣ୍ଡାଣ୍ଟ ଭାବେ କାମ କରିନ୍ତି ସୁବାସିନୀ ବେହେରା । ସେ ତାଙ୍କ ବୋହୁ, ନାତି, ନାତୁଣୀ ନାଁରେ ଟଙ୍କା ସଞ୍ଚିଥିଲେ। ହେଲେ ଭୁଆଁ ବୁଲାଇ କଷ୍ଟ ଅର୍ଜିତ ଟଙ୍କାକୁ ସ୍ବର୍ଣ୍ଣଲତା ନେଇଯିବା ପରେ ଥାନା ଆଇଆଇସିଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ସେପଟେ ଘଟଣାକୁ ବେଶ ଗମ୍ଭୀରତାର ସହ ନେଇଛି କମିଶନରେଟ ପୋଲିସ । ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଓ ଶ୍ବଶୁର ମଧ୍ୟ କ୍ରାଇମ ସିଣ୍ଡିକେଟର ଭାଗିଦାର ବୋଲି ଜଣାପଡ଼ିଛି । ଆବଶ୍ୟକ ସ୍ଥଳେ ସ୍ଵର୍ଣ୍ଣଲତାଙ୍କୁ ରିମାଣ୍ଡରେ ଆଣି ପୋଷ୍ଟାଲ ଠକେଇର ଗୁମର ଖୋଲିବ ବୋଲି କହିଛନ୍ତି ଏସିପି ।

