ପଛୁଆ ବର୍ଗଙ୍କ ବିକାଶକୁ ଫୋକସ୍, ମେ ମାସରେ ସର୍ଭେ ଓ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଫୋକସରେ ପଛୁଆ ବର୍ଗ । ସାମାଜିକ ଓ ଶିକ୍ଷାଗତ ସ୍ଥିତିକୁ ନେଇ ରାଜ୍ୟରେ ହେବ ସ୍ୱତନ୍ତ୍ର ସର୍ଭେ। ମେ’ ପହିଲାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବ ସର୍ଭେ । ମେ ୨୧ରୁ ୨୭ ଯାଏ ହେବ ସ୍ପେଶାଲ ଡ୍ରାଇଭ । ଉଭୟ ଅନଲାଇନ ଓ ଅଫଲାଇନରେ ସଂଗୃହିତ ତଥ୍ୟକୁ ଡିଜିଟାଲ ଫର୍ମାଟରେ ରଖାଯିବ। ପରେ ଜୁନ୍ ୬ରେ ଡ୍ରାଫ୍ଟ ପବ୍ଲିକେସନ କରି ଗ୍ରହଣ କରାଯିବ ଆପତ୍ତି ଅଭିଯୋଗ । ଜୁଲାଇ ୧୨ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତଥ୍ୟ । ଏଥିଲାଗି ସବୁ ଜିଲ୍ଲାରେ ଟ୍ରେନରଙ୍କୁ ଦିଆଯାଇଛି ତାଲିମ । ପଛୁଆ ବର୍ଗଙ୍କ ପାଇଁ ଶତକଡା ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କୋର୍ଟରେ ଖାରଜ ପରେ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଗଠନ ସହ କରାଯାଉଛି ସ୍ବତନ୍ତ୍ର ସର୍ଭେ ।

ଭୁବନେଶ୍ୱର ମହାନଗର ନିଗମରେ ବି ଆରମ୍ଭ ହୋଇଛି ତାଲିମ । ସର୍ଭେରେ ନିୟୋଜିତ ହେବେ ଅଙ୍ଗନବାଡି କର୍ମୀ ଓ ଶିକ୍ଷକ । ବିଏମସିରେ ମୋଟ ୧୦୧ଟି କେନ୍ଦ୍ର ପ୍ରତିଷ୍ଠା କରାଯିବାକୁ ଥିବା ବେଳେ ୧୩୩ ଜଣ ଏନୁମୁରେଟର ଓ ୧୫ ଜଣ ସୁପରଭାଇଜର ନିୟୋଜିତ ରହିବେ। ମାଷ୍ଟର ଟ୍ରେନରଙ୍କ ତାଲିମ ପରେ ସେମାନେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବେ। ୨୦୨୧ରେ ପଛୁଆବର୍ଗ ସର୍ଭେ କରିବାକୁ ରାଜ୍ୟ ସରକାର ଚାହିଁଥିଲେ ବି କୋଭିଡ ଯୋଗୁ ସମ୍ଭବ ହୋଇନଥିଲା ।