spot_img

Latest Posts

ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ନେଇ ବୈଠକ, ସହଯୋଗ ପାଇଁ ସମସ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ୱର: ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଆସନ୍ତା ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ଉପରେ ଏକ ପ୍ରାକ୍ ଉପସ୍ଥାପନା ପ୍ରଦାନ କରିଥିଲେ ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୁପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତୋ ବାଗଚୀ ସ୍କିଲ୍ଡ ଇନ୍ ଓଡ଼ିଶାର ମିଶନ୍, ଭିଜନ୍ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ୍ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରି ସେମାନଙ୍କୁ ରୋଲ୍‌ ମଡେଲ୍‌ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ, ମିଶନ୍‌ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡ଼ିଶା ସ୍କିଲ କନକ୍ଲେଭକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ି ତୋଳିବାକୁ ସୁବ୍ରତୋ ବାଗଚୀ ଆହ୍ୱାନ ଦେଇଥିଲେ । ରାଜ୍ୟର ୬ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ସରକାରଙ୍କ ଉଦ୍ଦେଶ୍ୟ । ସେମାନଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ପ୍ରତିଯୋଗିତାରେ ଭାଗନେବା ପାଇଁ ସକ୍ଷମ କରିବା, ସମସ୍ତ କ୍ଷେତ୍ର ଏବଂ ସ୍ରୋତ ମଧ୍ୟରେ ସ୍ୱଳ୍ପମିଆଦି ପାଠ୍ୟକ୍ରମର ପ୍ରଚଳନ, ଉଚ୍ଚମାନର ନିଯୁକ୍ତିଦାତାଙ୍କ ସହ ସହଯୋଗ କରିବା ଏବଂ ପାରମ୍ପରିକ ଦକ୍ଷତାକୁ ଅତିକ୍ରମ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଦିଗରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅଧ୍ୟକ୍ଷତା କରିବା ସହ କହିଥିଲେ କି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ । ସ୍କିଲ୍‌ ଇନ୍‌ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ । ଏକ ବିଶାଳ ଓଡିଶା ସ୍କିଲ୍‌ କନ୍‌କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଥିଲେ ।

Latest Posts

Don't Miss