ସୁନ୍ଦରଗଡ଼ରେ ବିକାଶ କାର୍ଯ୍ୟର ମାରାଥନ ସମୀକ୍ଷା କଲେ 5-T ସଚିବ
1 min readଭୁବନେଶ୍ୱର: ସ୍କୁଲ, କଲେଜ, ମିଶନ ଶକ୍ତି କାଫେ । ଛାତ୍ରଛାତ୍ରୀଙ୍କ ସହ କଥା ହେଲେ, ସ୍ମାର୍ଟ କ୍ଲାସ ବୁଲିଲେ, ମାଆଙ୍କ ହାତ ତିଆରି ଖାଇଲେ । ସୁନ୍ଦରଗଡ଼ରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଏମିତି ଥିଲା ଆଜିର ଦିନଚର୍ଯ୍ୟା । ଦିନ ତମାମ ବିକାଶ କାର୍ଯ୍ୟର ଅନୁଧ୍ୟାନ । ସକାଳୁ ସଞ୍ଜ ଯାଏ ନା ଥିଲା ବିରତି ନା ବିଶ୍ରାମ । ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ । ବୁଲିବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।
ସମସ୍ୟା ବୁଝିବା ସହ ପିଲାମାନଙ୍କୁ ଦେଇଥିଲେ ସମାଧାନ ପ୍ରତିଶ୍ରୁତି । ପରେ ବଣାଇ ବ୍ଲକ ତୁମକେଲାରେ ବିଜୁ ସେତୁ ନିର୍ମାଣର ଅନୁଧ୍ୟାନ କରି ବାଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ପରେ ମିଶନ ଶକ୍ତି କାଫେ ଗସ୍ତ କରିଥିଲେ ଫାଇଭ-ଟି ସଚିବ । କାଫେରେ ମାଆଙ୍କ ହାତରନ୍ଧା ଖାଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଖାଦ୍ୟର ଉଚିତ ଦାମ ଦେବା ସହିତ ମହିଳାଙ୍କ ସହ ଫଟୋ ଉଠାଇ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ ।
ପରେ ବଇଦପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ମାର୍ଟ କ୍ଲାସ ରୁମରେ ପିଲାମାନଙ୍କ ସହ କଥା ହୋଇଥିଲେ । କୋଇଡ଼ା ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇରେ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିରମିତ୍ରପୁର ଯାଇ ନୂଆ ବସଷ୍ଟାଣ୍ଡ, ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ । ଚମ୍ପୁ ତଲାବର ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରି SHG ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ପାଣ୍ଡିଆନ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ । ଶେଷରେ ରାଉରକେଲା ମହାନଗର ନିଗମରେ ପହଞ୍ଚି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।