ଓଡ଼ିଶା ସରକାର ଓ ୟୁନିସେଫ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷର । ରାଜ୍ୟବାସୀ ପାଇବେ ୨୪ ଘଣ୍ଟିଆ ବିଶୁଦ୍ଧ ପାଇପ୍ ପାଣି

1 min read

ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବା ନିମନ୍ତେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱରର ୫ଟି ଓ ପୁରୀର ୨ଟି ଅଞ୍ଚଳରେ ଆରମ୍ଭ ହେବ ପାଇଲଟ୍ ପ୍ରକଳ୍ପ । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡ୍ରିଙ୍କ୍ ଫ୍ରମ୍ ଟେପ୍ ମିଶନ୍ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ୨୪ ଘଣ୍ଟିଆ ପାଣି ଯୋଗାଇ ଦିଆଯିବା ସହିତ ଶତ ପ୍ରତିଶତ ମିଟର ବ୍ୟବସ୍ଥା କରାଯିବ । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ନିୟୋଜିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିମ୍ ମଧ୍ୟ ପ୍ରଦାନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଇଛନ୍ତି । ବିଶୁଦ୍ଧ ପାନୀୟ ଜଳ ହିଁ ସୁଦ୍ଧ ଓ ସମୃଦ୍ଧ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ । ତେଣୁ ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରକଳ୍ପ ସରକାରଙ୍କ ଲକ୍ଷ୍ୟ ପୂରଣରେ ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ । ଏହି ମିଶନରେ ପୁରୀ ଓ ଭୁବନେଶ୍ୱରର ୨୨ ହଜାର ପରିବାରର ୧ ଲକ୍ଷ ୨୦ ହଜାର ଲୋକଙ୍କୁ ବିଶୁଦ୍ଧ ପାଣି ମାର୍ଚ୍ଚ ୨୦୨୦ ସୁଦ୍ଧା ଯୋଗାଇ ଦିଆଯିବ ଏବଂ ପରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସଂପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ଉନ୍ନୟନ କମିଶନରଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ୟୁନିସେଫର ପ୍ରତିନିଧି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ')}

Leave a Reply