କେଉଁଠି କେତେ ପାଣି, ସାଧାରଣ ଲୋକେ ବି ଜାଣିପାରିବେ ରାଜ୍ୟ ଜଳ ସମ୍ପଦର ସ୍ଥିତି

1 min read

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଜଳ ସୂଚନା କେନ୍ଦ୍ର । ମିଳିବ ଜଳସମ୍ପଦ ସମ୍ପର୍କୀତ ସମସ୍ତ ତଥ୍ୟ । ଏସବୁ ତଥ୍ୟ ରହିବ ପବ୍ଲିକ ଡୋମେନରେ । ସାଧାରଣ ଲୋକଟିଏ ବି ଜାଣିପାରିବ ରାଜ୍ୟରେ ଥିବା ଜଳସମ୍ପଦର ସ୍ଥିତି । ରାଜ୍ୟ ଜଳ ସୂଚନା କେନ୍ଦ୍ର ବା ଏସ୍ଡବ୍ଲ୍ୟୁଆଇସି ଜାତୀୟ ଜଳ ସୂଚନା କେନ୍ଦ୍ରର ସହାୟତା ଏବଂ ମାର୍ଗଦର୍ଶନରେ ରାଜ୍ୟ ଜଳ ସମ୍ପଦ ତଥ୍ୟର ସମନ୍ବୟ, ସଂଗ୍ରହ ଏବଂ ପ୍ରସାର ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ କାର୍ଯ୍ୟ କରିବ । ପ୍ରତ୍ୟେକ ବିଭାଗ ଏବଂ ସଂସ୍ଥାରୁ ଅଧିକାରୀଙ୍କୁ ଏଥିରେ ଡୋମେନ ବିଶେଷଜ୍ଞ ଭାବରେ ସାମିଲ କରାଯିବ । ଜଳସମ୍ପଦ ବିଭାଗ ପକ୍ଷରୁ ଯୋଜନା ଏବଂ ସମନ୍ବୟ, କୃଷି ଏବଂ କୃଷକ ସଶକ୍ତିକରଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରକୁ ମତାମତ ମଗାଯାଇଛି । ଏହାକୁ ଜଳ ବିଶେଷଜ୍ଞମାନେ ସ୍ବାଗତ କରିଛନ୍ତି ।

ରାଜ୍ୟରେ କେଉଁ ନଦୀର ଜଳ ସ୍ଥିତି କ’ଣ ରହିଛି ? ନଦୀବନ୍ଧ କେତେ ସୁରକ୍ଷିତ ? ନଦୀର ଜଳ କେତେ ପ୍ରଦୂଷିତ? ଖରାଦିନେ କେଉଁଠି ଜଳ ଅଭାବ ରହୁଛି? ନଦୀ ବ୍ୟତୀତ ରାଜ୍ୟରେ ଥିବା ବିଭିନ୍ନ ଡ୍ୟାମ, ହ୍ରଦ, ନାଳର ଜଳ କେତେ ବ୍ୟବହାର ଯୋଗ୍ୟ ? ଅଂଶୁପା, ଚିଲିକା, ଟାମ୍ପରା, କୁସୁମା ଭଳି ଆଉ କେଉଁଠି ଜଳ ପର୍ଯ୍ୟଟନର ସୁଯୋଗ ରହିଛି? କେଉଁ ଜାଗାରେ ପର୍ଯ୍ୟଟକଙ୍କ ପାଇଁ ଜଳକ୍ରୀଡ଼ାର ସମ୍ଭବ ହୋଇପାରିବ ? ଏପରିକି ଆନ୍ତଃ-ରାଜ୍ୟ ନଦୀର ପ୍ରବାହ ସମ୍ପର୍କୀତ ତଥ୍ୟ ବି ରହିବ ଜଳ ସୂଚନା କେନ୍ଦ୍ରରେ । କେନ୍ଦ୍ର ସରକାରଙ୍କ ଏନଡବ୍ଲ୍ୟୁଆଇସିର ମାର୍ଗଦର୍ଶନରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଏହି କେନ୍ଦ୍ରର ଅନେକ ଉପାଦେୟ ରହିଛି । ଏଭଳି ଏକ ପଦକ୍ଷେପ ରାଜ୍ୟବାସୀଙ୍କ ପାଇଁ ଖୁବ୍ ସହାୟକ ହେବ ବୋଲି ଜଳ ସମ୍ପଦ ବିଭାଗର ପୂର୍ବତନ ଯନ୍ତ୍ରୀ କହିଛନ୍ତି ।

ଜଳ ଉତ୍ସଗୁଡ଼ିକର ପରିଚାଳନା ହେଉଛି ଏକ ଜଟିଳ କାର୍ଯ୍ୟ ଯାହା ବହୁମୁଖୀ ଡୋମେନଗୁଡ଼ିକର ପାରଦର୍ଶିତାକୁ ଅର୍ନ୍ତଭୁକ୍ତ କରେ । ଏନ୍ଡବ୍ଲ୍ୟୁଆଇସି ଓ ଏସ୍ଡବ୍ଲ୍ୟୁଆଇସି ମଧ୍ୟରେ ଜଳ ସୂଚନା କେନ୍ଦ୍ର ପ୍ରତିଷ୍ଠା ନେଇ ଶୀଘ୍ର ଏକ ରାଜିନାମା ସ୍ବାକ୍ଷରିତ ହେବ ।