ଶ୍ରୀଲଙ୍କାକୁ ୩୯୧ରନର ଟାର୍ଗେଟ; ବିରାଟ ଖେଳିଲେ ୧୬୬ରନର ଅପରାଜିତ ଦମଦାର ଇନିଂସ

1 min read

ତିରୁଅନନ୍ତପୁରମ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ତିରୁଅନନ୍ତପୁରମର ଗ୍ରୀନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶୁଭମନ ଗିଲ୍ ଓ ବିରାଟ କୋହଲିଙ୍କ ଶତକୀୟ ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୯୦ ରନ୍ ସଂଗ୍ରହ କରିଛି । ଏବେ ଶ୍ରୀଲଙ୍କାକୁ ଜିତିବାକୁ ହେଲେ ୩୯୧ ରନ୍ କରିବାକୁ ପଡ଼ିବ ।

ପ୍ରଥମେ ବ୍ୟାଟିଂ କରିବାକୁ କ୍ରୀଜକୁ ଓହ୍ଲାଇଥିବା ଭାରତର ଦୁଇ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଚମତ୍କାର ଆରମ୍ଭ କରିଥିଲେ । ଉଭୟ ୯୫ରନର ପାର୍ଟନରସିପ୍ କରିଥିଲେ । ଏହାପରେ ୪୨ ରନ୍ କରି ଅଧିନାୟକ ରୋହିତ ଶର୍ମା ପାଭେଲିଅନ୍ ଫେରିଯାଇଥିଲେ । କିନ୍ତୁ ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ସୃଷ୍ଟି ହୋଇଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ଉଭୟଙ୍କ ଶତକୀୟ ପାର୍ଟନରସିପ୍ ଭାରତୀୟ ଦଳକୁ ଏକ ଭଲ ସ୍ଥିତିରେ ପହଞ୍ଚାଇଥିଲା ।

୯୭ ଟି ବଲେ ଖେଳି ୧୧୬ ରନ୍ କରି ଶୁଭମନ ଗିଲ୍ ପାଭେଲିଅନ୍ ଫେରିଯାଇଥିଲା । ଶୁଭମନ ଗିଲଙ୍କ ପରେ ବିରାଟ କୋହଲି ମଧ୍ୟ ଶତକ କରିଥିଲେ । ୮୫ଟି ବଲରୁ ଏହି ଶତକ ସେ ହାସଲ କରିଥଇଲେ । ଏହା ତାଙ୍କର ୪୬ତମ ଦିନିକିଆ ଶତକ ଅଟେ । ସେହିପରି ଅନ୍ତର୍ଜାତୀୟ କ୍ୟାରିୟରର ଏହା ୭୪ତମ ଶତକ । ଏହା ପୂର୍ବରୁ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ମଧ୍ୟ ଶତକ ମାରିଥିଲେ ।

ବିରାଟ କୋହଲି ଅପରାଜିତ ରହି ୧୧୦ ଟି ବଲରେ ୧୬୬ ରନର ଦମଦାର ଇନିଂସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ୩୨ ଟି ବଲ୍ ଖେଳି ୩୮ ରନ୍ କରିଛନ୍ତି । ଖେଳ ଶେଷ ବେଳକୁ ବିରାଟଙ୍କ ସହ ଅକ୍ସର ପଟେଲ ୨ ରନ୍ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ କସୁନ ରଜିଥା ଏବଂ ଲହିରୁ କୁମାରା ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ କରୁଣାରତ୍ନେ ଗୋଟେ ୱିକେଟ୍ ହାସଲ କରିଥିଲେ ।

ତୃତୀୟ ଦିନିକିଆ ମ୍ୟାଚ୍ ସମ୍ମାନ ରକ୍ଷା ପାଇଁ ଖେଳୁଛି ଶ୍ରୀଲଙ୍କା । କାରଣ ପୂର୍ବ ଦୁଇଟି ଦିନିକିଆ ମ୍ୟାଚ୍ ଭାରତୀୟ ଟିମ୍ ଜିତି ସିରିଜ୍ କବଜା କରିଛି । ହେଲେ ୩୯୧ରନର ବଡ଼ ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ପକ୍ଷେ ହାସଲ କରିବା ଏକପ୍ରକାର ଅସମ୍ଭବ ଜଣାଯାଉଛି । ଯଦି ଶ୍ରୀଲଙ୍କା ଏଥିରେ ପରାଜିତ ହୁଏ ତେବେ ଭାରତ ୩-୦ରେ ସିରିଜ୍ କ୍ଲିନ ସ୍ୱିପ କରିବ ।