ଦିବ୍ୟରଞ୍ଜନଙ୍କ ମୃତ୍ୟୁ ପଛରେ ନ୍ୟୁଡ କଲ୍

ସୋନପୁର: ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ମୃତ୍ୟୁର କାରଣ ଥିଲା ନ୍ୟୁଡ୍‌ କଲ । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋନପୁର ପୋଲିସ ଗିରଫ କରିବା ପରେ ଆତ୍ମହତ୍ୟା ରହସ୍ୟ ଉପରୁ ହଟିଛି ପରଦା ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ଏହାକୁ ଆଧାର କରି ସୋନପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ୍‌ କଲ କରି ବ୍ଲାକମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏଥିରେ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକଙ୍କୁ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୋନପୁର ଏସପି ସୂଚନା ଦେଇଛନ୍ତି ।