ORHDC ଦୁର୍ନୀତି ମାମଲା, ପୂର୍ବତନ ଏମଡି ବିନୋଦ କୁମାରଙ୍କୁ ପୁଣି ସଜ୍ଜା
1 min readଭୁବନେଶ୍ୱର: ORHDC ଦୁର୍ନୀତି ମାମଲାରେ ପୂର୍ବତନ ଏମଡି ତଥା ଆଇଏଏସ ବିନୋଦ କୁମାରଙ୍କୁ ପୁଣି ସଜ୍ଜା । ଭୂମିକା ବିଲଡର ଲୋନ୍ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଦଣ୍ଡାଦେଶ ହୋଇଛି । ଭିଜିଲାନ୍ସର ସ୍ପେଶାଲ ଜଜ୍ ଏହି ୬ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନୋଦଙ୍କ ସହ କମ୍ପାନୀ ସେକ୍ରେଟାରୀ ସତ୍ୟ ପ୍ରକାଶ ବେହେରା, ସ୍ୱସ୍ତିକ ରଞ୍ଜନ ମହାପାତ୍ର, ଆସିଷ୍ଟାଣ୍ଟ ସିଷ୍ଟମ ଅନାଲିଷ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ, ଭୂମିକା ବିଲଡର ମ୍ୟାନେଜିଙ୍ଗ ପାର୍ଟନର ଦେବଦତ୍ତ ରାୟ ଓ଼ ବିଭୂତି ଭୂଷଣ ସ୍ୱାଇଁଙ୍କୁ ସଜା ଶୁଣାଇଛନ୍ତି କୋର୍ଟ ।
ପୂର୍ବରୁ ମଧ୍ୟ ORHDC ଓ ମେଟ୍ରୋ ବିଲଡର ମାମଲାରେ ଭିଜିଲାନ୍ସର ସ୍ପେଶାଲ ଜଜ୍ ବିନୋଦଙ୍କ ସମେତ ୪ ଜଣଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇସାରିଛନ୍ତି । ଏହି ତାଲିକାରେ ବାରବାଟୀ ବିଧାୟକ ମହମ୍ମଦ ମୋକିମ, ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନ ମହାପାତ୍ର, ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ଜରିମାନା ସହ ୩ ବର୍ଷ ଲେଖାଏଁ ସଜା ଶୁଣାଇଥିଲେ କୋର୍ଟ । ୨୦୦୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ ଆଇଏସ ବିନୋଦ କୁମାର । ମୁଖ୍ୟତଃ ବିନୋଦ କୁମାରଙ୍କ ସମୟରେ ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।