ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବ କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ, ୫ଟି ବ୍ଲକର ଚାଷୀ ହେବେ ଉପକୃତ

1 min read

କେନ୍ଦୁଝର: ଅଧିକ ଜମିକୁ ମାଡ଼ିବ ପାଣି । ଶସ୍ୟ ଶାମଳା ହେବେ କ୍ଷେତ । ନଦୀ ବନ୍ଧର ବି ବଢ଼ିବ ସ୍ଥାୟିତ୍ବ  । ଅତିଶୀଘ୍ର ସମ୍ପୂର୍ଣ୍ଣ ହେବ କେନ୍ଦୁଝର ଜିଲ୍ଲାର କାନପୁର ବୃହତ୍ ଜଳସେଚନ ପ୍ରକଳ୍ପ । ବୈତରଣୀ ନଦୀ ଉପରେ ଚାଲିଛି ଏହି ପ୍ରକଳ୍ପ କାମ । ଗୋଟିଏ ପଟେ ରିଭର୍ ଗ୍ୟାପ୍ କ୍ଲୋଜିଙ୍ଗ୍ ଚାଲିଥିବା ବେଳେ, ଅନ୍ୟପଟେ ନଦୀବନ୍ଧକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ଲାଷ୍ଟିକ୍ କଂକ୍ରିଟ୍ ବିଛାଇବା କାମ ଜାରି ରହିଛି । 5T  ସଚିବଙ୍କ ପ୍ରତକ୍ଷ ତତ୍ୱାବଧାନରେ ଏହି ପ୍ରକଳ୍ପର କାମ ଜାରି ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୫ଟି ବ୍ଲକର ୧ ଲକ୍ଷ ୪୪ ହଜାର ୮୮୮ ଜଣ ଚାଷୀ ଉପକୃତ ହେବା ସହ ସମୁଦାୟ ୪୪ ହଜାର ହେକ୍ଟର୍ ଚାଷଜମିରେ ପାଣି ମାଡ଼ିବ । ୨୦୨୩ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।

୨୦୦୬ ମହିହାରୁ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ କର୍ଯ୍ୟ । ହେଲେ ବିସ୍ଥାପିତଙ୍କୁ ଥଇଥାନ, ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ, କେନାଲ୍ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କାର୍ଯ୍ୟ ଧିମା ପଡ଼ିଥିଲା । ଏନେଇ ଗତ ଏପ୍ରିଲ୍ ମାସ ୨୨ ତାରିଖରେ ପ୍ରକଳ୍ପର ନିର୍ମାଣକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ମାଣସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏବେ ସମସ୍ୟାର ସମାଧାନ ସହ ନଦୀବନ୍ଧ ନିର୍ମାଣ ସାଙ୍ଗକୁ ଏହାର କେନାଲ୍ ନିର୍ମାଣ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ, ରବି ଋତୁରେ ଧାନ ସହିତ ଅନ୍ୟ ପନିପରିବା ଚାଷ କରି ଆର୍ଥିକ ମେରୁଦଣ୍ଡ ସୁଦୃଢ଼ କରି ପାରିବେ ବୋଲି ଚାଷୀ କହିଛନ୍ତି ।