ପଦମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ବର: ଡିସେମ୍ବର ୫ ତାରିଖରେ ପଦମପୁର ଉପ ନିର୍ବାଚନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ବୈଠକରେ ବରଗଡ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଏବଂ ଉପ ନିର୍ବାଚନ ସହ ଜଡିତ ସମସ୍ତ ବରିଷ୍ଠ ଅଧିକାରୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରସ୍ତୁତି ନେଇ ଆଲୋଚନ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ।

ଉପ ନିର୍ବାଚନ ପାଇଁ ଆଉ କମ୍ ସମୟ ହାତରେ ରହିଛି । ଏନେଇ ନିର୍ବାଚନ ପରିଚାଳନା ଯୋଜନା ଖୁବଶୀଘ୍ର ପ୍ରସ୍ତୁତ କରି ରିଟର୍ଣ୍ଣିଙ୍ଗ ଅଧିକାରୀ, ସହକାରୀ ରିଟର୍ଣ୍ଣିଙ୍ଗ ଅଧିକାରୀ ଏବଂ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ପଦମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବା ସମସ୍ତ ବୁଥକୁ ସମ୍ପୃକ୍ତ ବିଡିଓଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରାଇବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ପଦମପୁର ଉପନିର୍ବାଚନ ପାଇଁ ଭୋଟର ତାଲିକାକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଲାଗୁ ହୋଇଥିବା ଆଚରଣ ବିଧିକୁ କେହି ଉଲ୍ଲଂଘନ କଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।