ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନବୀନ, ୧୮ ମାସରେ ହେବ ୫ ବର୍ଷର କାମ

ଧାମନଗର: ‘ଧାମନଗରର ବିକାଶ ଆହୁରି ଆଗକୁ ବଢିବ। ସାଧାରଣ ନିର୍ବାଚନ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ପାଞ୍ଚ ବର୍ଷର କାମ କରିବୁ । ଏହା ମୁଁ ନିଜେ ଦେଖିବି। ଧାମନଗରର ବିକାଶ ଆହୁରି ଆଗକୁ ବଢିବ ’। ଏ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ । ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି ।ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । କାଳିଆ ଯୋଜନା ହେଉ ବା ମିଶନ ଶକ୍ତି ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମା ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମା ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମା’କୁ ଆପଣଙ୍କ ବିଧାୟକ ଭାବରେ ଦେଖିବାକୁ ଚାହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମା’ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ବିଶ୍ବାସ ଜନ୍ମାଇଛନ୍ତି ନବୀନ ।

2019 ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, 2022 ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ଋଣୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆଜି ଏଭଳି ଭୋଟ୍ ମାଗିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୩ଟି ସଭାରେ ଧାମନଗରବାସୀଙ୍କୁ ଉଦବୋଧନ ଦେଇଛନ୍ତି ନବୀନ । ଏହା ପୂର୍ବରୁ ଗ୍ରାଉଣ୍ଡରେ ବଢିଛି କ୍ରେଜ୍ । ନବୀନଙ୍କ ପ୍ରଚାର ଲାଗି ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଧିକ ଲୋକଙ୍କ ସୁବିଧା ପାଇଁ କରାଯାଇଛି ଏଲଇଡି ବ୍ୟବସ୍ଥା । ନବୀନଙ୍କ ପ୍ରଚାର ପରେ ସବୁଥର ପରି ବିଜେଡିର ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି ।

ଗାଁ ଗାଁରେ ବିଜେଡି କର୍ମୀ ପ୍ରଚାର ଜାରି ରଖିଛନ୍ତି । ବିକାଶ ପାଇଁ ବିଜେଡିକୁ ବାଛିବାକୁ ଲୋକଙ୍କୁ ବୁଝାଉଛନ୍ତି ଦଳୀୟ ନେତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ସଫଳତା ଭୋଟରଙ୍କ ଆଗରେ ରଖୁଛନ୍ତି । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରଚାରକୁ ଜୋରଦାର କରିଛନ୍ତି ।