ପ୍ରେମ ପରେ ପ୍ରତାରଣା; ଗିରଫ ହେଲେ ଅଭିଯୁକ୍ତ ହାର୍ଟ ଡାକ୍ତର

ଭୁବନେଶ୍ୱର: ହୃଦୟ ଭାଙ୍ଗିଦେଲେ ହାର୍ଟ ଡାକ୍ତର । ଭୁବନେଶ୍ବର ଏମ୍ସ ଡାକ୍ତରଙ୍କର ଡାର୍ଟି ଷ୍ଟୋରୀ । ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଲେ, ପରେ ଗର୍ଭପାତ ବି କରାଇଲେ । ଶେଷରେ ବିବାହ ପାଇଁ ରାଜିହେଲେନି । ଏନେଇ ଅଭିଯୋଗ ପରେ ଗିରଫ ହୋଇଛନ୍ତି ଏମ୍ସ କାର୍ଡିଓଲୋଜି ବିଭାଗର ଡାକ୍ତର ଜୟଦୀପ ଦାସଗୁପ୍ତା ।

ଯୁବତୀଙ୍କ ଅଭିଯୋଗ ଆଧାରରେ ଜୟଦୀପଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୋଗ ଅନୁସାରେ ୨୦୨୦ରେ ଯୁବତୀଙ୍କ ବାପା ହୃଦରୋଗରେ ପୀଡିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ଯୁବତୀ ଓ ଜୟଦୀପଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ବିବାହର ପ୍ରଲୋଭନ ଦେଇ ବାରମ୍ବାର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଡାକ୍ତର । ପରେ ଗର୍ଭପାତ ବି କରାଇଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଡାକ୍ତର ଯୁବତୀଙ୍କ ବାପାଙ୍କ ରିପୋର୍ଟ ଦେବା ଓ ଡିସଚାର୍ଜ କରାଇବା ନେଇ ବାରମ୍ବାର ବ୍ଲାକମେଲ କରୁଥିଲେ । ଏନେଇ ଗତ ୧୩ତାରିଖରେ ଯୁବତୀଜଣଙ୍କ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ କେସ ନମ୍ବର ୧୩୬/୨୨ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ୪୯୩, ୪୧୭, ୩୨୩, ୪୨୦, ୫୦୬ ଦଫା ଲାଗିଛି ।