ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲେ ତିନି ଦଳ, ମଇଦାନରେ ବିଜେଡିର ୮ ମନ୍ତ୍ରୀ
ଧାମନଗର: ବିଜେଡି ଜାରି କଲା ୪୦ ଜଣିଆ ତାରକା ପ୍ରଚାରକ ତାଲିକା । ମଇଦାନକୁ ଓହ୍ଲାଇବେ ବିଜେଡିର ଏକ ନମ୍ବର ତାରକା କ୍ୟାମ୍ପେନର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡେଇ, ଅଶ୍ବିନୀ ପାତ୍ର ଓ ରାଜେନ୍ଦ୍ର ଢୋଲକିଆ ଧାମନଗର ମଇଦାନକୁ ଓହ୍ଲାଇବେ ।
ସେପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି ତାରକା ପ୍ରଚାରକଙ୍କ ତାଲିକା । ତିନି ଦଳ ପକ୍ଷରୁ ୪୦ ଜଣ ଲେଖାଏ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ୫ କେନ୍ଦ୍ରମନ୍ତ୍ରୀ । ପୀୟୂଷ ଗୋ ଏଲ ଓ ପ୍ରହଲ୍ଲାଦ ଯୋଶୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ।
ସେପଟେ କଂଗ୍ରେସ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସର ୮ ଜଣ ବିଧାୟକ ଧରିବେ ପ୍ରଚାର ମଙ୍ଗ । ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ପାଣିଗ୍ରାହୀ, ରାଜନ ଏକ୍କା, ସୁର ରାଉତରାୟ ଓ ମହମ୍ମଦ ମୋକିମ୍ ପ୍ରଚାରକୁ ଓହ୍ଲାଇବେ । ଏହାସହ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀ ରହିଛନ୍ତି ।
ଗତକାଲି ନାମାଙ୍କନର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୍ । ଦଳ କିପରି ବଡ଼ ବ୍ୟବଧାନରେ ବିଜୟୀ ହେବ ସେନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ୨୫ହଜାରରୁ ଅଧିକ ଭୋଟରେ ଜିତିବାକୁ ହୋଇଛି ବ୍ଲୁପ୍ରିଣ୍ଟ । ଘରକୁ ଘର ବୁଲି ଭୋଟ ମାଗିବେ ବିଜେଡି ନେତା ଆଉ କର୍ମୀ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ସମ୍ପର୍କରେ କହି ଭୋଟ ମାଗିବ ବିଜେଡି । ଏପଟେ ମଇଦାନରେ ପ୍ରଚାର ଚଳାଇଛନ୍ତି ବିଜେପି ଓ କଂଗ୍ରେସ । ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଆସନ୍ତା ୧୭ । ନଭେମ୍ବର ୩ରେ ନିର୍ବାଚନ ଓ ନଭେମ୍ବର ୬ରେ ଭୋଟ ଗଣତି । ଏପଟେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଜନୈତିକ ଦଳର ଭୂମିକା ଉପରେ ବୈଠକରେ ଆଲୋଚନା ହେବ ।