ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲେ ବୁମରାହ, ଖୁବଶୀଘ୍ର ବିକଳ୍ପ ଘୋଷଣା କରିବ ବିସିସିଆଇ
1 min readନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା ଲାଗିଛି । ଭାରତୀୟ କ୍ରିକେଟ ଦଳର ଶ୍ରେଷ୍ଠ ବୋଲର ଜଶପ୍ରୀତ ବୁମରାହ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଯେଉଁ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ ଫେରିବେ ଏବଂ ଟି-୨୦ ବିଶ୍ୱକପରେ ଖେଳିବେ ସେ ଆଶା ଏବେ ଆଶାରେ ରହିଯାଇଛି । ସବୁଠୁ ଅନୁଭବୀ ଓ ଶ୍ରେଷ୍ଠ ବୋଲର ଜଶପ୍ରୀତ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି ।
ପିଠିରେ ସମସ୍ୟା ପାଇଁ ସେ ଏବେ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଖେଳିପାରିବେ ନାହିଁ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏନେଇ ଘୋଷଣା କରିଛି । ଖୁବଶୀଘ୍ର ବୁମରାହଙ୍କ ରିପ୍ଲେସମେଣ୍ଟର ଘୋଷଣା କରାଯିବ । ବିସିସିଆଇ ନିଜ ପ୍ରେସ ରିଲିଜରେ ଲେଖିଛି, ବୋର୍ଡର ମେଡିକାଲ ଟିମ୍ ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଆଇସିସି ଟି-୨୦ ବିଶ୍ୱକପରୁ ବାହାର କରିଦେଇଛି ।
ଏହି ନିଷ୍ପତ୍ତି ବିସ୍ତୃତ ମୂଲ୍ଯାଙ୍କନ ଏବଂ ବିଶେଷଜ୍ଞଙ୍କ ପରାମର୍ଶ ପରେ ନିଆଯାଇଛି । ବୁମରାହଙ୍କୁ ଆରମ୍ଭରେ ପିଠିରେ ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଥିଲେ । ସେବେଠୁ ସେ ଚିକିତ୍ସିତ ହେଉଛନ୍ତି । ବିସିସିଆଇ ଖୁବଶୀଘ୍ର ଜଶପ୍ରୀତ ବୁମରାହଙ୍କ ସ୍ଥାନରେ କୌଣସି ଅନ୍ୟ ଖେଳାଳିଙ୍କୁ ଟି-୨୦ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ଟିମରେ ସାମିଲ କରିବ ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଜଶପ୍ରୀତ ଟି-୨୦ ଦଳରୁ ବାଦ୍ ପଡ଼ିବା ନେଇ ଖବର ଆସିଥିଲା । ସମସ୍ତ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଥିଲା । ହେଲେ ବିସିସିଆଇ ସଭାପତି କହିଥିଲେ ବୁମରାହଙ୍କୁ ଦଳରୁ ବାହାର କରାଯାଇନି, ଚିକିତ୍ସା ଚାଲିଛି, ଶେଷ ସମୟରେ ସୁସ୍ଥ ହୋଇ ଦଳରେ ସାମିଲ ହୋଇପାରନ୍ତି । ଏହାପରେ ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ହେଲେ ଏବେ ବାଦ୍ ପଡ଼ିବା ପରେ ସବୁ ଆଶା ଭାଙ୍ଗି ଯାଇଛି । ବୁମରାହଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଉଛି ।