ରାଜସ୍ଥାନ ରାଜନୈତିକ ସଙ୍କଟ: ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ କଂଗ୍ରେସ ଦୁଇ ଭାଗ

ଜୟପୁର: ଭାରତ ଯୋଡ଼ୋ ଯାତ୍ରା ଭିତରେ ଭାଙ୍ଗିପାରେ ରାଜସ୍ଥାନ କଂଗ୍ରେସ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଧାୟକ ଗୋଷ୍ଠୀ ଦୁଇ ଭାଗ । ଏପରିକି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଟିମ୍ ଗେହଲଟର ୯୦ ରୁ ଅଧିକ ବିଧାୟକ । କଂଗ୍ରେସ ନେତା ରାହୁଲ ଗାନ୍ଧି ଘୋଷଣା କରିଥିବା ଏକ ପଦବୀ ଏକ ବ୍ୟକ୍ତି ନୀତି ଅନୁସାରେ, ଯଦି ଗେହଲଟ ଏଆଇସିସି ସଭାପତି ହୁଅନ୍ତି, ତେବେ ସେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବେ ।

ମାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ନାରାଜ ବିଧାୟକ । କେତେକ ବିଧାୟକ ଦାବି କରିଛନ୍ତି ଅନ୍ତତଃ ଗେହଲଟଙ୍କ କ୍ଷେତ୍ରରେ ଏହି ନୀତି କାର୍ଯ୍ୟକାରୀ କରା ନଯାଉ । ଯଦି କରାଯାଏ, ତେବେ ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେବେ । ଏନେଇ ସେମାନେ ବାଚସ୍ପତି ସି.ପି. ଯୋଶୀଙ୍କ ସହ ବି ଆଲୋଚନା କରିଛନ୍ତି । ଗତକାଲି ମଧ୍ୟରାତ୍ରୀ ଯାଏ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ, ରାଜସ୍ଥାନ ବ୍ୟାପାରରେ ଥିବା ନେତା ଅଜୟ ମାକେନ ଓ ଗେହଲଟଙ୍କ ଉପସ୍ଥିତିରେ ବୈଠକ ହୋଇଥିଲେ ବି ସମାଧାନର ପନ୍ଥା ବାହାରି ପାରିନଥିଲା ।

ସେପଟେ ନୂଆ ସଭାପତି ନିର୍ବାଚିତ ହେବା ପୂର୍ବରୁ ବିଧାୟକ ଦଳ ବୈଠକ ବସିବା ଲାଗି ଅନେକ ବିଧାୟକ ଚାହୁଁନାହାନ୍ତି । ସ୍ଥିତି ଏପରି ହୋଇଛି ଯେ, ଗେହଲଟ କହିଛନ୍ତି ତାଙ୍କ ହାତରେ କିଛି ନାହିଁ । ଏ ସମ୍ପର୍କରେ ଦଳର ଅନ୍ୟତମ ହାଇକମାଣ୍ଡ କେ.ସି. ଭେନୁଗୋପାଲଙ୍କ ନିକଟରେ ସେ ହାତ ଟେକି ଦେଇଛନ୍ତି । ଅନେକ ଦାବି କରିଛନ୍ତି ୨୦୨୦ରେ ସଚିନ ପାଇଲଟଙ୍କ ବିଦ୍ରୋହ କାଳରେ ସରକାର ତିଷ୍ଠିବା କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରୁ କାହାରିକୁ ସିଏମ କରାଯାଉ ।

ଗତକାଲି ବିଧାୟକ ଦଳ ବୈଠକ ବସି ପାରି ନଥିବାବେଳେ ପାଇଲଟ ଓ ତାଙ୍କର ୨୧ ସମର୍ଥକ ବିଧାୟକଙ୍କୁ ଭେଟିଥିଲେ ଗେହଲଟ । କୁହାଯାଉଛି, ମୁଖ୍ୟମନ୍ତ୍ରୀ ପଦ ନ ଛାଡିବା ଲାଗି ଗେହଲଟ ଅଟଳ ରହିଛନ୍ତି । ଯଦି ସେ ପଦ ତ୍ୟାଗ କରନ୍ତି ତେବେ ପାଇଲଟଙ୍କୁ ଶାସନ ଭାର ହସ୍ତାନ୍ତର କରିବାକୁ ଚାହୁଁନାହାନ୍ତି । ଯଦି ବାସ୍ତବରେ ୯୦ ବିଧାୟକ ଇସ୍ତଫା ଦିଅନ୍ତି, ତେବେ ବିଜେପି ଲାଗି ଏହା ସୁବର୍ଣ୍ଣ ସୁଯୋଗ ହେବ । ଏଥିଲାଗି ବିଜେପି ଶିବିର ବି ଚଳଚଞ୍ଚଳ ହୋଇଛି ।