ରାଜଧାନୀରେ ଝୁଲି ପଡିଲେ ଜିଲ୍ଲା ପରିଷଦ ସଭ୍ୟ, କାରଣ ଅସ୍ପଷ୍ଟ

ପୁରୀ: ଗୋପ୍‌ ବ୍ଲକ 11 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା । ଗତକାଲି ଭୁବନେଶ୍ବର ଶିଶୁପାଳଗଡ଼ ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ୍‌ ବ୍ଲକ ଖଣ୍ଡିଆକୁଦ ଗାଁରେ ହୋଇଥିବା ଜଣାପଡିଛି । ୧୫ ଦିନ ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ସୌଭାଗ୍ୟବଶତଃ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।

ତେବେ ମୃତ୍ୟୁର କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର । ସେ ଅସୁସ୍ଥ ଥିଲେ । ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ନାଁରେ କିଛି ମିଥ୍ୟା ଅପପ୍ରଚାର ହୋଇଥିବା ନେଇ ସେ ଭିଡିଓରେ କହିଥିଲେ । ଏହାସହ ପାରିବାରିକ ଅଶାନ୍ତି ଲାଗି ରହିଥିବା କଥା କହିଥିଲେ ଧର୍ମେନ୍ଦ୍ର । ଏମିତିକି କୌଣସି ଏକ ନିର୍ଦ୍ଦିଷ୍ଟ ଖବରକାଗଜ ବିରୋଧରେ ସେ ନ୍ୟାୟିକ ତଦନ୍ତ ପାଇଁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଭିଡିଓରେ କହିଥିଲେ ।