ନିର୍ଦ୍ୱନ୍ଦରେ ହକି ଇଣ୍ଡିଆ ସଭାପତି ହେଲେ ଦିଲ୍ଲୀପ ତିର୍କୀ
ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ । ପ୍ରଥମ ଥର ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ତାରକା ଦିଲ୍ଲୀପ ତିର୍କୀ । ନିର୍ଦ୍ୱନ୍ଦ୍ୱରେ ଦିଲିପ ତିର୍କୀ ସଭାପତି ଭାବେ ମନୋନୀତ ହୋଇଛନ୍ତି । ପୂର୍ବତନ ହକି ଅଧିନାୟକ ଦିଲିପ ତିର୍କି ୧୮ ତାରିଖରେ ନୋମିନେସନ ଦାଖଲ କରିଥିଲେ । ଅକ୍ଟୋବର ୧ତାରିଖରେ ହକି ଇଣ୍ଡିଆ ସଭାପତି ନିର୍ବାଚନ ଥିବାବେଳେ ନିର୍ଦ୍ୱନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।
ସେପଟେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ସଭାପତି ଭାବେ ଦିଲ୍ଲୀପ ତିର୍କୀ ନିର୍ବାଚିତ ହେବାପରେ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା ମୋର ଲକ୍ଷ୍ୟ । ତେଣୁ ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି ବୋଲି କହିଛନ୍ତି ଦିଲ୍ଲୀପ ତିର୍କି । ଓଡିଶା ମାଟିର ପୁଅ ଦିଲ୍ଲିପ ତିର୍କିଙ୍କୁ ନେଇ ସମଗ୍ର ଓଡ଼ିଶା ଗୌରବାନ୍ୱୀତ ।
ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ସେପଟେ ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ରହିଛନ୍ତି ନରିନ୍ଦର ବାତ୍ରା । ତାଙ୍କର କାର୍ଯ୍ୟକାଳ ଖୁବ ଶୀଘ୍ର ସରୁଥିବାବେଳେ ଦିଲ୍ଲିପ ତିର୍କି ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଦିଲ୍ଲୀପଙ୍କ ସମେତ ଅନ୍ୟ ଦୁଇ ଜଣ ମଧ୍ୟ ହକି ଇଣ୍ଡିଆ ସଭାପତି ନେଇ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ଦିଲ୍ଲୀପ ତିର୍କୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।